Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକନିକ ହେଲା କାଳ…. ଆର. ଉଦୟଗିରି ଥାନା ଅନ୍ତର୍ଗତ ମାଙ୍କଡ଼ଡିଆଁ ଜଳପ୍ରପାତରେ ବୁଡି ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି:୫/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଆନନ୍ଦ ଉଲ୍ଲାସରେ ପିକନିକ ଯାଇ ମଜ୍ଜା ଉଠାଉ ଥିବା ବେଳେ ଗୋଡ଼ ଖସି ଜଳପ୍ରପାତରେ ବୁଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାଟି ଗତକାଲି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକରେ ଥିବା ମାଙ୍କଡ଼ଡିଆଁ ଜଳପ୍ରପାତରେ ଘଟିଛି ।ପିକନିକ ସକାଶେ ଗତକାଲି ରବିବାର ଅପରାହ୍ନରେ କିଛି ଯୁବକ ପାରଳାଖେମୁଣ୍ଡି ଠାରୁ ମାଙ୍କଡ଼ଡିଆଁ ଜଳପ୍ରପାତକୁ ଯାଇଥିଲେ । ପିକନିକରେ ମଜ୍ଜା ଉଠାଇ ଜଳପ୍ରପାତରେ ଗାଧଉ ଥିବା ବେଳେ ହଠାତ ଗୋଡ଼ ଖସି କଲ୍ୟାଣ ସତୀଶ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ଅନ୍ୟ ଯୁବକମାନେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା ଯୁବକମାନେ ଆର. ଉଦୟଗିରି ଥାନା ପୋଲିସକୁ ଜଣାଇଥିଲେ । ଆର. ଉଦୟଗିରି ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ।ତଥାପି ନିଖୋଜ ଯୁବକଙ୍କର ସନ୍ଧାନ ମିଳିନଥିଲା । ସନ୍ଧ୍ୟା ହେବା ଯୋଗୁଁ ଅନ୍ଧାରରେ ଖୋଜିବା ଏବଂ ଅତ୍ୟଧିକ ଶୀତ ଯୋଗୁଁ ଅଗ୍ନିଶମ ବାହିନୀ ଗତକାଲି ଖୋଜାଖୋଜି ବନ୍ଦ କରିଥିଲେ ଆଜି ସୋମବାର ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା । କିଛି ସମୟ ଖୋଜାଖୋଜି ପରେ ନିଖୋଜ ଯୁବକଙ୍କ ଶବ ଜଳପ୍ରପାତ ମଧ୍ୟରୁ ଉଦ୍ଧାର ହୋଇଥିଲା । ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଲିସ ପଠାଇ ଦେଇଥିଲେ । ଘଟଣା ନେଇ ଜଳପ୍ରପାତ ଅଞ୍ଚଳ ସମେତ ପାରଳାଖେମୁଣ୍ଡି ସହରରେ ଗଭୀର ଶୋକ ପ୍ରକାଶ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories