ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଆୟୋଜିତ ରାହଗିରିରେ ଝଲସି ଉଠିଲା ଗଜପତିର କଳା, ସଂସ୍କୃତି
ପାରଳାଖେମୁଣ୍ଡି:୧୨/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଆଗାମୀ ୧୮ ତାରିଖ ଦିନ ଗଜପତି ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ବିଭିନ୍ନ ଆୟୋଜନ ଚାଲୁ ରହିଛି. ଗଜପତି ଉତ୍ସବ ପାଳନ ପୂର୍ବରୁ ରାହାଗିରି ଉତ୍ସବ ପାଳନ ହୁଏ. ପାରଳା ପୌର ପରିଷଦ ତରଫରୁ ସ୍ଥାନୀୟ ରାଜଦାଣ୍ଡରେ ମହାସମାରୋହରେ ରାହାଗିରି ଉତ୍ସବକୁ ପାଳନ କରାଯାଇଛି. ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ରାଜଦାଣ୍ଡରେ ଝଲସି ଉଠିଥିଲା ପାରଳା ମାଟିର କଳା, ସଂସ୍କୃତି ଓ ପରମ୍ପରା ପାଇକ ଆଖଡ଼ାର ଖଣ୍ଡା ସାଧନ, ଠେଙ୍ଗା ବୁଲା, ବକ୍ସି, ଟାଏକୋଣ୍ଡୋ, କରାଟେ, ଯୋଗ ପ୍ରଦର୍ଶନ ସହ ପାରମ୍ପରିକ ବାଦ୍ୟର ତାଳେତାଳେ ନାଚି ଉଠିଥିଲେ ଆଦିବାସୀ କଳାକାର ମହିଳାମାନଙ୍କ ସୁନ୍ଦର ଝୋଟି ସାରା ରାଜଦାଣ୍ଡକୁ ଚିତ୍ରପଟ୍ଟରେ ଭରି ଦେଇଥିଲା। ସ୍ଥାନେ ସ୍ଥାନେ ମଞ୍ଚରେ ଗୀତପରିବେଷଣ ସହ ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ସଭିଙ୍କୁ ବିଭୋର କରିଥିଲା। ରାହାଗିରିରେ ପାରଳା ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ,ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଆଦିବାସୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ଓ ତହସିଲଦାର ନାରାୟଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟ ଓ ନୃତ୍ୟାନୁଷ୍ଠାନର କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଜିଲ୍ଲା ପ୍ରଶାସନର ବହୁ ପଦାଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ହଜାର ହଜାର ଜନ ସାଧାରଣ ଏହି ରାହାଗିରି ଉତ୍ସବର ମଜା ଉଠାଇ ଥିଲେ.

