Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ ଭାଗରେ ପରିଣତ ହେବ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ!

ନୂଆଦିଲ୍ଲୀ,୧୪|୧: ଖଣ୍ଡ ଖଣ୍ଡ ହୋଇଯିବ ପାକିସ୍ତାନ | ୪ ଭାଗରେ ପରିଣତ ହେବ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ | ଦେଶରେ ରାଜ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଦାବି ଜୋର ଧରିଛି। ବାଂଲାଦେଶ ସହିତ ପୂର୍ବ ପାକିସ୍ତାନ ହରାଇବା ପରେ, ବର୍ତ୍ତମାନର ସରକାର ପ୍ରଶାସନିକ ସଂସ୍କାର ନାମରେ ଦେଶକୁ ଛୋଟ ଛୋଟ ପ୍ରଦେଶରେ ବିଭକ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାରଙ୍କ କହିବା ଅନୁସାରେ, ଏହା ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବ | ଅନ୍ୟପଟେ, ବିଶେଷଜ୍ଞମାନେ ଏହି ପଦକ୍ଷେପକୁ ପାକିସ୍ତାନ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ମତ ଦେଇଛନ୍ତି ।

ପାକିସ୍ତାନର ସଂଘୀୟ ଯୋଗାଯୋଗ ମନ୍ତ୍ରୀ ଏବଂ ଇସ୍ତେହକାମ୍-ଏ-ପାକିସ୍ତାନ ପାର୍ଟି ସଭାପତି ଅବଦୁଲ ଅଲିମ୍ ଖାନ୍ ସମ୍ପ୍ରତି ପାକିସ୍ତାନର ଛୋଟ ପ୍ରଦେଶ ଗଠନ ନିଷ୍ପତ୍ତିକୁ ସମର୍ଥନ କରିବା ସହିତ ଏଥିପାଇଁ ଦେଶର ଜନସାଧାରଣଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

​​​​​​​ଅଲିମ୍ ଖାନଙ୍କ ଅନୁସାରେ, ପଞ୍ଜାବ, ସିନ୍ଧ, ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ପ୍ରତ୍ୟେକକୁ ୩ କିମ୍ବା ୪ଟି ପ୍ରଶାସନିକ ୟୁନିଟରେ ବିଭକ୍ତ କରାଯିବ । ଯାହା ଦ୍ୱାରା ପାକିସ୍ତାନରେ ମୋଟ୍ ୧୨ଟୁ ୧୬ଟି ପ୍ରଦେଶ ଗଠନ ହୋଇପାରିବ | ଅନ୍ୟପଟେ ସରକାର କହିଛନ୍ତି ଯେ, ବର୍ତ୍ତମାନର ପ୍ରଦେଶଗୁଡିକ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିବାରେ ବାଧା ସୃଷ୍ଟି କରୁଛି । ଛୋଟ ପ୍ରଦେଶଗୁଡିକ ଲୋକମାନଙ୍କୁ ସେମାନଙ୍କ ଦ୍ୱାରଦେଶରେ ସରକାରୀ ସେବା ପାଇବାକୁ ଅନୁମତି ଦେବ ।

ତେବେ ଏହି ପ୍ରସ୍ତାବରେ ପାକିସ୍ତାନର ମିଳିତ ସରକାର ଭିତରେ ମଧ୍ୟ ବିବାଦ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାରଙ୍କ ଅଂଶବିଶେଷ ଆଇପିପି ଏବଂ ସିନ୍ଧ-ଭିତ୍ତିକ ଏମକ୍ୟୁଏମ-ପି ଏହି ଯୋଜନାକୁ ପୂର୍ଣ୍ଣ ସମର୍ଥନ କରୁଥିଲା ବେଳେ ଏମକ୍ୟୁଏମ୍ ପି ୨୯ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ନୂଆ ପ୍ରଦେଶ ଗଠନ ପାଇଁ ଆହ୍ୱାନ ଦେଇଛି । କିନ୍ତୁ ବର୍ତ୍ତମାନ ସମୟରେ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି ଏହି ବିଭାଜନ ବିରୋଧରେ ରହିଛି । ଅନ୍ୟପଟେ, ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲି ଶାହ ଚେତାବନୀ ଦେଇଛନ୍ତି ଯେ, ସିନ୍ଧର କୌଣସି ବିଭାଜନକୁ ସେ ଗ୍ରହଣ କରିବେ ନାହିଁ । ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱାଇ ଜାତୀୟତାବାଦୀ ସଂଗଠନଗୁଡି ଅନୁସାରେ, ଏହା ସେମାନଙ୍କର ସାଂସ୍କୃତିକ ପରିଚୟକୁ ନଷ୍ଟ କରିବାର ଏକ ଷଡ଼ଯନ୍ତ୍ର ରଚନା କରାଯାଉଛି ।

ରାଜନୈତିକ ଏବଂ ପ୍ରଶାସନିକ ବିଶେଷଜ୍ଞମାନେ ଏହି ପଦକ୍ଷେପକୁ ପାକିସ୍ତାନ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି କହିଛନ୍ତି । ପୂର୍ବତନ ପୁଲିସ୍ ମୁଖ୍ୟ ସୟଦ ଅଖତର ଅଲ୍ଲି ଶାହ ଯୁକ୍ତିରେ କହିଛନ୍ତି, ପାକିସ୍ତାନ ପାଇଁ ପ୍ରଦେଶ ସଂଖ୍ୟା ସମସ୍ୟା ନୁହେଁ ବରଂ ଦୁର୍ବଳ ପ୍ରତିଷ୍ଠାନ ଏବଂ ଦାୟିତ୍ୱହୀନତା ଏକ ବଡ ସମସ୍ୟା। ମୌଳିକ ସଂସ୍କାର ବିନା ନୂଆ ପ୍ରଦେଶ ଗଠନ କରିବା କେବଳ ଦେଶରେ ଅରାଜକତା ସୃଷ୍ଟି କରିବ | ଏହାକୁ ସମର୍ଥନ କରି ପିଆଇଏଲଡିଏଟି ମୁଖ୍ୟ ଅହମ୍ମଦ ବିଲାଲ ମେହବୁବ ଚେତାବନୀ ଦେଇଛନ୍ତି ଯେ, ନୂଆ ପ୍ରଦେଶ ସୃଷ୍ଟି କରିବା ଏକ ବ୍ୟୟବହୁଳ ଏବଂ ଜଟିଳ ପ୍ରକ୍ରିୟା । ଅତୀତରେ ଏପରି ପରୀକ୍ଷଣ ଜନସାଧାରଣଙ୍କ ଅଭିଯୋଗକୁ ଦୂର କରିବା ବଦଳରେ ସମସ୍ୟାକୁ ଆହୁରି ବଢାଇଛି ।

ସୂଚନା ଅନୁସାରେ, ୧୯୪୭ରେ ସ୍ୱାଧୀନତା ସମୟରେ ପାକିସ୍ତାନ ୫ଟି ପ୍ରଦେଶକୁ ନେଇ ଗଠିତ ହୋଇଥିଲା । ପୂର୍ବ ବଙ୍ଗ, ପଶ୍ଚିମ ପଞ୍ଜାବ, ସିନ୍ଧ, ଉତ୍ତର ପଶ୍ଚିମ ପ୍ରଦେଶ (ଏନଡବ୍ଲୁଏଫପି) ଏବଂ ବେଲୁଚିସ୍ତାନ । ତେବେ ୧୯୭୧ ଯୁଦ୍ଧ ପରେ, ପୂର୍ବ ବଙ୍ଗ ପାକିସ୍ତାନ ଠାରୁ ଅଲଗା ହୋଇ ବାଂଲାଦେଶ ଗଠନ କରିଥିଲା । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରଦେଶଗୁଡ଼ିକ ବିଭାଜନ ବେଲୁଚିସ୍ତାନ ଏବଂ ଖ୍ୱାଇବର ପଖତୁନଖ୍ୱାରେ ପୂର୍ବରୁ ଚାଲିଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ଆହୁରି ତୀବ୍ର କରିପାରେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ