କର୍ତ୍ତବ୍ୟରତ ଅଧିକାରୀ! ନିଜ ସରକାରୀ ଗାଡ଼ି ପାଇଁ କାଟିଲେ ଚାଲାଣ ଏବଂ ତାଙ୍କ ସ୍ୱାମୀଙ୍କ ସ୍କୁଟର ଉପରେ ୩ ,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଲେ
ନୂଆଦିଲ୍ଲୀ,୧୭|୧: ହିମାଚଳ ପ୍ରଦେଶର ସିରମୌରର ଜଣେ RTO ଅଧିକାରୀ ସୋନା ଚାଣ୍ଡେଲ ସଚ୍ଚୋଟତାର ଏକ ଉଦାହରଣ ସ୍ଥାପନ କରିଛନ୍ତି ଯାହା ଏବେ ପ୍ରତ୍ୟେକ ସରକାରୀ କରିଡରରେ ଏବଂ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି | ସେ ତାଙ୍କ ପଦବୀ କିମ୍ବା ବ୍ୟକ୍ତିଗତ ସମ୍ପର୍କକୁ ନିୟମ ଉଲ୍ଲଂଘନରେ ବାଧା ସୃଷ୍ଟି କରିବାକୁ ଦେଇ ନାହାନ୍ତି । କି କ୍ଷମତାର ଦୁରୁପଯୋଗ କରି ନାହାନ୍ତି | ପ୍ରତିଦିନ ସରକାରୀ ପଦବୀର ଦୁରୁପଯୋଗ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି | କେଉଁଠି ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ତ ପୁଣି କେଉଁଠି ଟଙ୍କା ଲାଞ୍ଚ ନେଇ ଧରା ପଡିଛନ୍ତି | କିନ୍ତୁ ଏହି RTO ଅଧିକାରୀ ଜଣଙ୍କ ସେ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଏବଂ ନିଜ ପଦବୀର ମର୍ଯ୍ୟାଦା ରଖି ଉଦାହରଣ ସୃଷ୍ଟି କରିଛନ୍ତି |
ଏହି ଘଟଣାଟି ହେଉଛି ଡିସେମ୍ବର ୨୦, ୨୦୨୫ର। କାଲା ଆମ୍ବରେ ନିୟମିତ ଯାନବାହାନ ଯାଞ୍ଚ ସମୟରେ ଜଣାପଡିଲା ଯେ, RTO ର ସରକାରୀ ଯାନ (HP 63 C-7365) ର PUC ର ଅବଧି ଶେଷ ହୋଇଯାଇଛି। ଏହି ସୂଚନା ସୋନା ଚାଣ୍ଡେଲଙ୍କ ପାଖରେ ପହଞ୍ଚିବା ପରେ, ସେ କୌଣସି ଚିନ୍ତା ନ କରିତୁରନ୍ତ ₹୫୦୦ର ଚାଲାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାହା ସହିତ ତୁରନ୍ତ ଏକ ନୂତନ PUC ମଧ୍ୟ ଜାରି କରିଥିଲେ |
ବର୍ତ୍ତମାନ ସମୟରେ ଯେଉଁ ଲୋକ ପାଖରେ କ୍ଷମତା ଅଛି ସେ ନିଜକୁ ସର୍ବ ଶକ୍ତିମାନ ବୋଲି ଭାବୁଛି । ନିଜର କ୍ଷମତା ପ୍ରଭାବରେ ଆଇନ କାନୁନ ତିଆରି କରୁଛନ୍ତି | କିଛି ଲୋକ କ୍ଷମତାକୁ ଦୂରୁପଯୋଗ କରୁଥିବା ବେଳେ କିଛି ଲୋକ ଏହାକୁ ସଠିକ ଭାବେ ପାଳନ କରିଥାନ୍ତି, ସେ ନିଜ ଲୋକ ହୁଅନ୍ତୁ ଅବା ପର ଲୋକ । ନିୟମ ସମସ୍ତଙ୍କ ପାଇଁ ସମାନ । ଆଉ ଏହାକୁ ପ୍ରମାଣିତ କରିଛନ୍ତି ଲେଡି ଅଫିସର ସୋନା ଚାଣ୍ଡେଲ | ଏବେ ଏହି ଲେଡି ସିଂଘମ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି।
ତେବେ ନିରପେକ୍ଷତା ଓ ସଚ୍ଚୋଟତା ପାଇଁ ଆଜି ସୋନା ଚାଣ୍ଡେଲ ଚର୍ଚ୍ଚାର ପାତ୍ର ସାଜିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେତେବେଳେ ସୋନା ଚାଣ୍ଡେଲ କୌଣସି ବ୍ୟକ୍ତିଗତ ମାମଲାରେ ଦୃଢ଼ ମତ ରଖିଥିଲେ। ତାଙ୍କ ସ୍ୱାମୀଙ୍କ ସ୍କୁଟରର ମଧ୍ୟ ଜରିମାନା କାଟିଥିଲେ | ଗତ ୨୭ ମଇ, ୨୦୨୫ ରେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପଞ୍ଜିକରଣ ଅଭିଯାନ ସମୟରେ, ତାଙ୍କ ସ୍ୱାମୀଙ୍କ ପଞ୍ଜିକରଣ ପ୍ଲେଟ୍ ନଥିବା ଏକ ସ୍କୁଟର (HP 71-9045) ମିଳିଥିଲା। ନିୟମ ଅନୁଯାୟୀ, ମହିଳା ଅଧିକାରୀ ₹୩,୦୦୦ ଟଙ୍କାର ଏକ ଚାଲାଣ ଜାରି କରିଥିଲେ, ଯାହା ତାଙ୍କ ସ୍ୱାମୀ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ପରିଶୋଧ କରିଥିଲେ |
ଚାଣ୍ଡେଲଙ୍କ ଏହି କଠୋରତାର ପ୍ରଭାବ ସରକାରୀ ରେକର୍ଡରେ ପ୍ରତିଫଳିତ ହୋଇଛି । ୨୦୨୪-୨୫ ସମୟ ସୁଦ୍ଧା ତାଙ୍କ ଦ୍ବାରା ପ୍ରାୟ ଅଢେଇ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ତେବେ ଏସବୁ ଟଙ୍କା ସିଧାସଳଖ ଭାବେ ସରକାରୀ ରାଜକୋଷରେ ଜମା ହୋଇଛି ବୋଲି ସୂଚନା ରହିଛି ।

