ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି; ଏଣିକି ନିର୍ବାଚନରେ ବ୍ୟବହାର ହେବନି ମାର୍କର ପେନ୍
ମୁମ୍ବାଇ,୧୯।୧: ନିକଟରେ ମହାରାଷ୍ଟ୍ରରେ ଅନୁଷ୍ଠିତ ନଗରନିଗମ ନିର୍ବାଚନରେ ମାର୍କର ପେନରେ ଭୋଟରଙ୍କ ଅଙ୍ଗୁଳିରେ କରାଯାଇଥିବା ଚିହ୍ନକୁ ନେଇ ବିବାଦ ଦେଖାଯାଇଥିଲା। ଯେଉଁଥିରେ ସ୍ୟାହିର ଦାଗ ଲିଭିଯାଇଥିବାର ଘଟଣା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଭୋଟ ଠକେଇ ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଏବେ ଏହି ବିବାଦ ପରେ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି)ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଫେବୃଆରୀରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନରେ ମାର୍କର ପେନ ପରିବର୍ତ୍ତେ ସାଧାରଣ ନିର୍ବାଚନରେ ଉପଯୋଗ ହେଉଥିବା ସିଲଭର ନାଇଟ୍ରେଟ୍ କୁ କାଳି ରୂପେ ବ୍ୟବହାର କରାଯିବ ବୋଲି ଏସଇସି କହିଛନ୍ତି।
ଏସଇସି ଦିନେଶ ଟି. ୱାଘମାରେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ସତର୍କତା ଅବଲମ୍ବନ କରିବାକୁ ଚାହାନ୍ତି, ଏଣୁ ଏହି ପଦକ୍ଷେପ ଗ୍ରହଣ କରାଯିବ। ମହାରାଷ୍ଟ୍ର ନଗରନିଗମ ନିର୍ବାଚନ ଦିନ ଭୋଟଦାନ ଆରମ୍ଭ ହେବା ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିଲା। ଭାଇରଲ ହେଉଥିବା ଭିଡିଓ ରେ ଅଙ୍ଗୁଳିରେ ଲଗାଯାଇଥିବା ମାର୍କର ସ୍ୟାହି ଲିଭିଯାଉଥିବାର ଦେଖାଯାଇଥିଲା। ଏପରିକି ମାର୍କର ସ୍ୟାହିକୁ ଲିଭାଇ ଅନ୍ୟ ମତଦାନ କେନ୍ଦ୍ରରେ ମତଦାନ କରିଥିବା ବି ଘଟଣା ସାମ୍ନାକୁ ଆସିଥିଲା। ଏଭଳି ଅବ୍ୟବସ୍ଥା ପାଇଁ ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେ ଏସଇସିଙ୍କ ନିଲମ୍ବନ ଦାବି କରିଥିଲେ | ଏବଂ ତାଙ୍କ ଉପରେ ସରକାରରେ ଥିବା ମେଣ୍ଟର ସମର୍ଥନ କରୁଥିବାର ଅଭିଯୋଗ ମଧ୍ୟ ଆଣିଥିଲେ।
ସେହିପରି ଏନସିପି ନେତା ତଥା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ରୂପାଲୀ ଚାକଣକ କହିଥିଲେ ଯେ, ବୋତଲ ସ୍ୟାହି ମାର୍କର ଅପେକ୍ଷା ଅଧିକ ସୁରକ୍ଷିତ, ଯେପରି ଲୋକସଭା ଓ ବିଧାନସଭା ନିର୍ବାଚନରେ ସମୟରେ ବ୍ୟବହାର କରାଯାଏ। କଂଗ୍ରେସ ନେତା ସଚିନ ସାୱନ୍ତ ମଧ୍ୟ ଏନେଇ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ନେଲ ରିମୁଭରରେ ମାର୍କର ସ୍ୟାହି ଲିଭିଯାଉଥିବା ଦୃଶ୍ୟ କଏଦ ହୋଇଥିଲା | ଅନ୍ୟପଟେ, ଏହାର ଜବାବ ରଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଥିଲେ ଯେ,ପରାଜୟ ପାଇଁ ଏଭଳି ବିବାଦ ଆରମ୍ଭ କରାଯାଉଛି। ତେବେ ବିବାଦକୁ ଗମ୍ଭୀରତାର ସହିତ ନେଇ ଏସଇସି ସବୁ ନଗରନିଗମ ନିର୍ବାଚନ ବୁଥରେ ଉପଯୋଗ ହୋଇଥିବା ନୂଆ ୫-୬ ମାର୍କର ପେନର ସାମ୍ପଲ ପରୀକ୍ଷଣ ପାଇଁ ଲ୍ୟାବକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଯାଞ୍ଚ ରିପୋର୍ଟ ସପ୍ତାହ ମଧ୍ୟରେ ଆସିଯିବ ବୋଲି କୁହାଯାଇଥିଲା।
ତେବେ ଆୟୋଗ ସ୍ପଷ୍ଟ ଭାବେ କହିଥିଲେ ଯେ, ଯଦି କେହି ଭୋଟର ସ୍ୟାହି ହଟାଇବାକୁ ଉଦ୍ୟମ କରନ୍ତି ତେବେ ଏହା ଦଣ୍ଡନୀୟ ଅପରାଧ ହେବ। ସ୍ୟାହି ହଟାଇ ଦ୍ୱିତୀୟବାର ମତଦାନ କଦାପି ସମ୍ଭବ ନୁହେଁ ବୋଲି ଏସଇସି କହିଛନ୍ତି | କାରଣ ଅଧିକାରୀଙ୍କ ନିକଟରେ ମତଦାନର ସମସ୍ତ ତଥ୍ୟ ରେକର୍ଡ ରହୁଛି। ସେହିପରି ଆୟୋଗ ଭ୍ରମାତ୍ମକ ଭିଡିଓ ଏବଂ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୧୯୬୨ ମସିହାରୁ ଭାରତରେ ନିର୍ବାଚନ ପାଇଁ ଅଲିଭା ସ୍ୟାହି ଉପଯୋଗ ହୋଇ ଆସୁଛି। ଯେଉଁଥିରେ ସିଲଭର ନାଇଟ୍ରେଟ୍ ରହିଛି, ଯାହା ତ୍ୱଚା ଓ ଆଲୋକ ସଂସ୍ପର୍ଷରେ ଆସିବା ମାତ୍ରେ ଗଭୀର ଚିହ୍ନ ସୃଷ୍ଟି କରିଥାଏ। ଏହି ଚିହ୍ନ ସାଧାରଣତଃ ତ୍ୱଚାରେ ୩-୪ ଦିନ ପର୍ଯ୍ୟନ୍ତ ଓ ନଖରେ ୨-୪ ସପ୍ତାହ ପର୍ଯ୍ୟନ୍ତ ଥାଏ। ସ୍ଥାନୀୟ ପାଳିକା ନିର୍ବାଚନରେ ୨୦୧୧ ମସିହାରୁ ମାର୍କରରେ ଚିହ୍ନ ହୋଇ ଆସୁଛି । କିନ୍ତୁ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ଵାଚନ ଆୟୋଗ ପୁଣି ଥରେ ସିଲଭର ନାଇଟ୍ରେଟ୍ ସ୍ୟାହିରେ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

