Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣ ସମସ୍ୟା ନିୟନ୍ତ୍ରଣର ବାହାରେ; ଏକ୍ୟୁଆଇ ୪୧୮ ରୁ ୬୬୫ ପର୍ଯ୍ୟନ୍ତ ରେକର୍ଡ

ନୂଆଦିଲ୍ଲୀ,୧୯|୧: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ପାଲଟିଛି | ଦିନକୁ ଦିନ ସ୍ଥିତି ଭୟଙ୍କର ରୂପ ଧାରଣା କରୁଛି | ସାଧାରଣତଃ ଶୀତଦିନର ସ୍ଥିତି ବେଶି ଭୟଙ୍କର ହୋଇଥାଏ । ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ‘ଗ୍ୟାସ୍ ଚାମ୍ବର’ ସ୍ଥିତି ଜାନୁଆରି ମାସ ଶେଷ ହେବାକୁ ଆସିଲାଣି ତଥାପି ନିୟନ୍ତ୍ରଣକୁ ଆସିବାର ନାଁ ଧରୁନି।

ଆଜି ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୧୮ ରୁ ୬୬୫ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି, ସେହିପରି ଆନନ୍ଦ ବିହାର ୪୮୯ ଏବଂ ଅଶୋକ ବିହାର ୪୬୩ ରେକର୍ଡ କରାଯାଇଛି । ଅକ୍ଟୋବର ୨୦୨୫ରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟାରେ ବୃଦ୍ଧି ହୋଇଥିଲା । ଗତ ନଭେମ୍ବରରେ ଏହା ଶୀର୍ଷରେ ପହଞ୍ଚିଥିଲା, ଯାହାର AQI 400-୫୦୦ ଉପରେ ଥିଲା । ତେବେ ଡିସେମ୍ବର ମାସରେ ଏଥିରେ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ହଠାତ ଜାନୁଆରି ୨୦୨୬ରେ ପୁଣିଥରେ ବୃଦ୍ଧି ପାଇଥିଲା । ଜାନୁଆରୀ ୧୫-୧୬ରେ AQI ୩୪୩-୩୫୪ ରେକର୍ଡ କରାଯାଇଥିଲା ବେଳେ ଜାନୁଆରି ୧୭-୧୮ରେ ୪୦୦-୪୩୯ ଛୁଇଁ ଥିଲା ଏବଂ ଜାନୁଆରି ୧୯ରେ ଅର୍ଥାତ ଆଜି ୪୧୮-୬୬୫ରେ ପହଞ୍ଚିଛି | ଯାହା ସବୁଠାରୁ ବିପଜ୍ଜନକ ରହିଛି ।

ଏହି ପ୍ରଦୂଷଣ କାରଣରୁ ଲକ୍ଷ ଲକ୍ଷ ଲୋକ ଶ୍ୱାସକ୍ରିୟା ସମସ୍ୟା, ଆଖି ଜ୍ୱଳନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି | ନିକଟରେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଘରୁ ଅଫିସ କାମ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ | ସରକାରଙ୍କ ଅନେକ କଟକଣା ଏବଂ ‘ଗ୍ରାପ୍’ର ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ୱେ ପ୍ରଦୂଷଣ କମିବାର ନାଁ ଧରୁନି । ତେବେ ଏହାର ପଛରେ ଅନେକ ଭୌଗୋଳିକ, ପରିବେଶ ଏବଂ ମାନବକୃତ କାରଣ ରହିଛି ।

ସୂଚାନଯୋଗ୍ୟ ଯେ, ଦିଲ୍ଲୀର ଭୟଙ୍କର ବାୟୁ ପ୍ରଦୂଷଣ ପାଇଁ ଶୀତଦିନର ପାଣିପାଗ ସବୁଠାରୁ ବଡ଼ ଦାୟୀ । ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ପବନର ଗତି ଅତି ମନ୍ଥର ହୋଇଯାଏ। ଯେତେବେଳେ ପବନ ସ୍ଥିର ହୋଇଯାଏ, ସେତେବେଳେ ବାୟୁମଣ୍ଡଳରେ ଥିବା ପ୍ରଦୂଷକ କଣିକାଗୁଡ଼ିକ ଗୋଟିଏ ସ୍ଥାନରେ ଜମା ହୋଇ ରହିଯାଆନ୍ତି। ଏହା ସହିତ ‘ଟେମ୍ପରେଚର ଇନଭର୍ସନ’ ନାମକ ଏକ ପ୍ରକ୍ରିୟା ଘଟେ, ଯେଉଁଥିରେ ଥଣ୍ଡା ବାୟୁ ଉପରକୁ ଯାଇପାରେ ନାହିଁ ଏବଂ ପ୍ରଦୂଷଣକୁ ମାଟି ପାଖରେ ଚାପି ରଖେ। ଯାହା ଫଳରେ ଧୂଆଁ ଏବଂ କୁହୁଡ଼ି ମିଶି ‘ସ୍ମଗ୍’ ସୃଷ୍ଟି କରନ୍ତି। ଏହା ସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ଯାନବାହନ ସଂଖ୍ୟା ବହୁତ ଅଧିକ। ନୋଏଡା, ଗୁରୁଗ୍ରାମ ଏବଂ ଫରିଦାବାଦ ଭଳି ପ୍ରମୁଖ ସହରରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ପ୍ରତିଦିନ ଚଳାଚଳ କରେ। ଏହି ଗାଡ଼ିଗୁଡ଼ିକରୁ ନିର୍ଗତ ହେଉଥିବା ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ପାର୍ଟିକ୍ୟୁଲେଟ୍ ମ୍ୟାଟର (PM 2.5) ବାୟୁକୁ ବିଷାକ୍ତ କରିଥାଏ । ଏହା ବ୍ୟତୀତ ଦିଲ୍ଲୀ ଆଖପାଖ ଅଞ୍ଚଳରେ ଥିବା କଳକାରଖାନାଗୁଡ଼ିକରୁ ମଧ୍ୟ ବର୍ଷସାରା ପ୍ରଦୂଷଣ ଜାରି ରହିଥାଏ, ଯାହା ଶୀତଦିନେ ଅଧିକ ମାରାତ୍ମକ ହୋଇଯାଏ।

ତେବେ ଏହି ପ୍ରଦୂଷଣ ନିୟନ୍ତ୍ରଣ ନହେବାର ମୁଖ୍ୟ କାରଣ ହେଉଛି ସରକାରୀ ଯୋଜନାର ସଦୁପଯୋଗ ନ କରିବା ଏବଂ ପ୍ରାକୃତିକ ପରିବେଶର ସନ୍ତୁଳନ ବିଗିଡ଼ିବା | କେବଳ ଯାନବାହାନ ଗୁଡିକୁ ବନ୍ଦ କରିବା କିମ୍ବା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସ୍ଥାୟୀ ସମାଧାନ ନୁହେଁ। ଏଥିପାଇଁ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବୃକ୍ଷ ରୋପଣକୁ ବୃଦ୍ଧି କରିବା | ଏଥିପାଇଁ ଉଭୟ ସରକାର ଏବଂ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ | ଜନସାଧାରଣଙ୍କ ସଚେତନତା ଏବଂ ସରକାରଙ୍କ ଅଭିନବ ରଣନୀତି ହିଁ ଦିଲ୍ଲୀକୁ ଏହି ବିଷାକ୍ତ ବାୟୁରୁ ମୁକ୍ତି ଦେଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ