Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଜିପିଙ୍କ ଉପରେ କଡା ଆକ୍ସନ; ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ନିଲମ୍ବିତ

ବେଙ୍ଗାଲୁରୁ,୨୦|୧: ପୋଲିସ ବାବୁଙ୍କ ଉପରେ କଡା ଆକ୍ସନ | ଅଫିସରେ ରାସଲୀଳାର ଭିଡିଓ ଭାଇରଲ ହେବା ପରେ କର୍ଣ୍ଣାଟକ ସରକାର ନେଇଛନ୍ତି ବଡ ଆକ୍ସନ୍ । ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକ (ନାଗରିକ ଅଧିକାର ପ୍ରବର୍ତ୍ତନ)କେ. ରାମଚନ୍ଦ୍ର ରାଓଙ୍କୁ ନିଲମ୍ୱିତ କରାଯାଇଛି | ତେବେ କେ. ରାମଚନ୍ଦ୍ର ଭିଡିଓଗୁଡ଼ିକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି। ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିବା ସହିତ ଭିଡିଓ ପଛର ପ୍ରକୃତ ସତ୍ୟର ଉନ୍ମୋଚନ ପାଇଁ ସେ ଫରେନସିକ୍ ତଦନ୍ତ ଦାବି ମଧ୍ୟ କରିଛନ୍ତି।

ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ ପୋଲିସ ଅଧିକାରୀ ତାଙ୍କ ଅଫିସରେ ପୋଲିସ ବର୍ଦ୍ଦିରେ ଚୌକିରେ ବସିଥିବା ନଜର ଆସୁଛନ୍ତି । ଏବଂ ଆପତ୍ତିଜନକ ସ୍ଥିତିରେ ଅନେକ ମହିଳା ତାଙ୍କୁ ଘେରି ରହିଛନ୍ତି | ମହିଳାମାନଙ୍କ ସହିତ ଆପତ୍ତିଜନକ ସ୍ଥିତିରେ ଥିବା ଭିଡିଓ ସାମ୍ନାକୁ ଆସିବା ପରେ ମହାନିର୍ଦ୍ଦେଶକ ରାଓଙ୍କୁ ନିଲମ୍ବିତ କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ରାଓ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କୁ ଭେଟିବାକୁ ଯାଇଥିଲେ,କିନ୍ତୁ ତାଙ୍କୁ ଭେଟିପାରି ନଥିଲେ।

ଅନ୍ୟପଟେ, ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଗୃହ ମନ୍ତ୍ରଣାଳୟଠାରୁ ଏହାର ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି | ଏହି ମାମଲା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତିଯେ, ଅଧିକାରୀ ଯେତେ ବରିଷ୍ଠ ହୁଅନ୍ତୁ ନା କାହିଁକି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ନିଆଯିବ। ଭିଡିଓଟି କେଉଁ ପରିସ୍ଥିତିରେ ରେକର୍ଡ କରାଯାଇଥିଲା ଓ କିଏ ଏହାକୁ ଭାଇରାଲ କରିଥିଲା ​​ତାହାର ସ୍ପଷ୍ଟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀମାନଙ୍କ କହିବା ଅନୂସାରେ, ଭିଡିଓର ସତ୍ୟତା ଯାଞ୍ଚ କରିବା ପାଇଁ ଏକ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରାଯାଇପାରେ। ଫୁଟେଜ୍‌କୁ ଡିଜିଟାଲ ଭାବରେ ହେରଫେର କରାଯାଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ସାଇବର ଅପରାଧ ବିଶେଷଜ୍ଞଙ୍କୁ ସାମିଲ କରାଯିବ | ସେପଟେ ଭିଡିଓରେ ନଜର ଆସୁଥିବା ରାମଚନ୍ଦ୍ର ରାଓ ଭିଡିଓଟିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଏବଂ ତାଙ୍କୁ ଟାର୍ଗେଟ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି |

ସୂଚନାଯୋଗ୍ୟ, ରାଓଙ୍କୁ ସେପ୍ଟେମ୍ବର ୨୦୨୩ରେ ଡିଜିପି ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ଅକ୍ଟୋବର ୨୦୨୩ରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପଦୋନ୍ନତି ହେବା ପୂର୍ବରୁ ସେ ରାଜ୍ୟ ପୁଲିସ ହାଉସିଂ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ରାଓ ଦକ୍ଷିଣ ରେଞ୍ଜର ପୁଲିସ ମହାନିରୀକ୍ଷକ (ଆଇଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ୨୦୧୪ରେ ତାଙ୍କ ବିରୁଦ୍ଧରେ ବିବାଦୀୟ ଟଙ୍କା ଜବତ ମାମଲା ଆସିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories