Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌ ; ଚଢ଼ାଉରେ ନଗଦ ୩ କୋଟି ଟଙ୍କା,ବିପୁଳ ନିଶାଦ୍ରବ୍ୟ ଏବଂ ଡିଜିଟାଲ ଡିଭାଇସ୍‌ ଜବତ

ଭୁବନେଶ୍ୱର,୨୦|୧: ଅନ୍ତର୍ଜାତୀୟସ୍ତରରେ ନିଶାଦ୍ରବ୍ୟ ଓ ଟଙ୍କା କାରବାରରେ ଓଡ଼ିଶା ଲିଙ୍କ୍‌ ସାମ୍ନାକୁ ଆସିଛି। ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ଏହି ନିଶା କାରବାରର ମୁଖ୍ୟ କେନ୍ଦ୍ରସ୍ଥଳର ସନ୍ଧାନ କରିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣର ରାକେଟ୍‌ ସାମ୍ନାକୁ ଆସିଛି। ଅବୈଧ ଆନ୍ତର୍ଜାତୀୟ ନିଶା କାରବାର ଏବଂ ମନି ଲଣ୍ଡରିଂ ନେଟୱାର୍କ ବିରୁଦ୍ଧରେ ଦେଶବ୍ୟାପୀ ଅପରେସନ ଆରମ୍ଭ କରିଛି ଇଡି। ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)।

ଏହି ଚଢ଼ାଉରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩ କୋଟି ଟଙ୍କା, ବିପୁଳ ନିଶାଦ୍ରବ୍ୟ, ଅପରାଧିକ ନଥିପତ୍ର, ଡିଜିଟାଲ ଡିଭାଇସ୍‌ ଆଦି ଜବତ ହୋଇଛି। ଏହି ସମ୍ପୃକ୍ତ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ଦିଲ୍ଲୀରୁ ଜଣେ ନିଶା ମାଫିଆକୁ ମଧ୍ୟ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିକୁ ୭ଦିନିଆ‌ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ।

ଗୋଆ ପୋଲିସର ନିଶା ନିବାରଣ ସେଲ୍ ଦ୍ୱାରା ଦାୟର ହୋଇଥିବା ଏକ FIR ଆଧାରରେ ED ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି | ଏହି FIR NDPS ଆଇନ, 1985 ଅନୁସାରେ ପଞ୍ଜିକୃତ ହୋଇଥିଲା। ଯେଉଁଥିରେ ବାଣିଜ୍ୟିକ ପରିମାଣରେ ନିଶା ଦ୍ରବ୍ୟ ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା। ତେବେ ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ସଂଗଠିତ ଆନ୍ତଃରାଜ୍ୟ ଡ୍ରଗ୍ସ ନେଟୱର୍କର ସୂଚନା ପ୍ରକାଶ ପାଇଥିଲା। ଯାହା ପରେ ଏହି ବଡ଼ ଧରଣର ସର୍ଚ୍ଚ ଅପରେସନ ଯୋଜନା କରାଯାଇଥିଲା।

ED ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଖୁଚୁରା ମାଧ୍ୟମରେ ନୁହେଁ ବରଂ ବ୍ୟବସାୟରୁ ବ୍ୟବସାୟ (B2B) ମଡେଲ ମାଧ୍ୟମରେ ଡ୍ରଗ୍ସ ଯୋଗାଣ କରାଯାଉଥିଲା। ଗୋଆ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା ଏବଂ କେରଳରେ ନିଶା ଦ୍ରବ୍ୟ ହୋଲସେଲରେ ଯୋଗାଣ କରାଯାଉଥିଲା। ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଏହି ନେଟୱାର୍କ କେବଳ ସ୍ଥାନୀୟ ଭାବରେ ନୁହେଁ ବରଂ ଏକ ସଂଗଠିତ ବ୍ୟବସାୟ ଗଠନ ଭାବରେ କାର୍ଯ୍ୟ କରୁଥିଲା।

ନିଶା ବେପାରର ମୁଖ୍ୟ ହବ ପାଲଟିଛି ଓଡିଶା । ଗୋଆରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ଚେର। ଚାଲାଣ ହେଉଛି ନିଶା ଦ୍ରବ୍ୟ। ତେବେ ନିଶା ଦ୍ରବ୍ୟ ଚାଲାଣର ମୁଖ୍ୟ ରାସ୍ତା ସାଜିଛି ଭୁବନେଶ୍ୱର ବିମାନବନ୍ଦର। ଅନ୍ୟ ସ୍ଥାନକୁ ନିଶାଦ୍ରବ୍ୟ ଚାଲାଣ ହେଉଥିଲେ ମଧ୍ୟ ଭାୟା ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। କିଛିଦିନ ତଳେ ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା | ତେବେ ଏସବୁକୁ ରୋକିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।

ବର୍ତ୍ତମାନର ଯୁବପିଢ଼ି ଏହି ନିଶାଦ୍ରବ୍ୟର ଶିକାର ଅତ୍ୟଧିକ ମାତ୍ରାରେ ହେଉଛନ୍ତି | ନିଶା ଦ୍ରବ୍ୟର ଶିକାର ହୋଇ ଅନେକ ଅପରାଧିକ ମାମଲାରେ ଜଡିତ ହେଉଛନ୍ତି | ତେଣୁ ଏହି ସମ୍ପୂର୍ଣ୍ଣ ଅପରାଧ ନେଟୱାର୍କକୁ ଭାଙ୍ଗିବା ଲକ୍ଷ୍ୟ ରଖାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଂଗଠିତ ନିଶା କାରବାର ଏବଂ ମନି ଲଣ୍ଡରିଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ବଦ୍ଧ ହୋଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ