Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ନିଯୁକ୍ତି ପାଇଥିବା ନୂତନ ସରକାରୀ ଓକିଲମାନଙ୍କର କାର୍ଯ୍ୟରେ ଯୋଗଦାନ

ପାରଳାଖେମୁଣ୍ଡି:୨୨/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାସ୍ଥିତ ବିଭିନ୍ନ ନ୍ୟାୟାଳୟରେ ବହୁଦିନ ଧରି ଖାଲି ପଡିଥିବା ସରକାରୀ ଓକିଲଙ୍କ ପଦରେ ଆଇନ ବିଭାଗର ନିର୍ଦ୍ଦେଶରେ ନୂତନ ସରକାରୀ ଓକିଲଙ୍କର ନିଯୁକ୍ତି ହୋଇଛି। ସୂଚନାଯୋଗ୍ୟ, ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ପାଇଥିବା ସରକାରୀ ଓକିଲଙ୍କର କାର୍ଯ୍ୟକାଳ ସରିବା ପରେ ତଥା ନୂତନ ସରକାର ଆସିବା ପରେ ନୂତନ ଭାବେ ପ୍ୟାନେଲ ଭିତ୍ତିକ ସରକାରୀ ଓକିଲ ନିଯୁକ୍ତି କରିବା ନିମନ୍ତେ ଚାରିଆଡ଼େ ଦାବି ଉଠିଥିଲା। ପରେ ଏହି କଥାକୁ ହୃଦୟଙ୍ଗମ କରି ଆଇନ ବିଭାଗ ରାଜ୍ୟର ସବୁ ନ୍ୟାୟାଳୟରେ ପର୍ଯ୍ୟାୟକ୍ରମେ ପ୍ୟାନେଲ ଭିତ୍ତିକ ସରକାରୀ ଓକିଲଙ୍କର ନିଯୁକ୍ତି କରିଥିଲେ। ସେହିକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଅଦାଲତରେ ସରକାରଙ୍କ ପକ୍ଷରୁ ପକ୍ଷ ରଖିବା ନିମନ୍ତେ ୧୯ଜଣ ଓକିଲଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ଖବର ଆସିବା ପରେ ସମସ୍ତ ନବ ନିଯୁକ୍ତ ସରକାରୀ ଓକିଲ ତା ୨୦-୦୧-୨୦୨୬ରିଖ ଦିନ ସକାଳ ୧୦ଘଟିକା ସମୟରେ ପୋକ୍ସ କୋର୍ଟର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତି ପାଇଥିବା ତଥା ପାରଳାଖେମୁଣ୍ଡି ଓକିଲ ସଂଘର ସେକ୍ରେଟାରୀ ଏମ୍ ପୃଥ୍ୱୀରାଜଙ୍କ ନେତୃତ୍ୱରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ପରେ ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନ୍ନାଗାଙ୍କୁ ନିଜର ନିଯୁକ୍ତି ପତ୍ର ଦେଇ କାର୍ଯ୍ୟରେ ଯୋଗଦାନ କରିଥିଲେ। ଏହାପରେ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟରେ ଅଭିଯୋଜନ ବିଭାଗର ଉପନିର୍ଦେଶକ ଅଜିତ ପଟ୍ଟନାୟକ, ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ତଥା ସହାୟକ ଅଭିଯୋଜନ ଅଧିକାରୀ ଡ଼ି. ଅନୁପରାଜ ଆଚାରୀଙ୍କ ଅଧ୍ୟକ୍ଷତାରେ ଏକ ସଂକ୍ଷିପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିଯୋଜନ ବିଭାଗକୁ ସ୍ୱାଗତ ଜଣାଇ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିବା ଉପରେ ନିଜର ବକ୍ତବ୍ୟ ରଖିଥିଲେ।
ସେହିକ୍ରମରେ ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ନବ ନିଯୁକ୍ତ ସରକାରୀ ଓକିଲମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିବା ସହ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଅଭିଯୋଜନ ବିଭାଗ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହୋଇଛି ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଜର ମନ୍ତବ୍ୟ ପ୍ରଦାନ କରିବା ସହ ସମସ୍ତ ନବ ନିଯୁକ୍ତ ସରକାରୀ ଓକିଲଙ୍କୁ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ସହ ନୂତନ ଅପରାଧିକ ଆଇନ ଅନୁଯାୟୀ କିପରି ଜଣେ ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ ନେଇ ଯଥା ସମ୍ଭବ ଚେଷ୍ଟା କରିବା ନିମନ୍ତେ ସମସ୍ତ ସରକାରୀ ଓକିଲଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଅଦ୍ୟାବଧି ୧୯ଜଣ ସରକାରୀ ଓକିଲଙ୍କ ମଧ୍ୟରୁ ୧୬ଜଣ ସରକାରୀ ଓକିଲ ଭାବେ କାର୍ଯ୍ୟରେ ଯୋଗଦାନ କରି ବିଭିନ୍ନ ଅଦାଲତରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories