Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଉଥିବା ଦେଶଙ୍କୁ ଶାନ୍ତି ସେନାରେ ପ୍ରବେଶ ମନା:ଇସ୍ରାଏଲ ଅର୍ଥନୀତି ମନ୍ତ୍ରୀ

ଇସ୍ରାଏଲ,୨୪|୧: ଇରାନ ଯଦି ପୁନର୍ବାର ଆମ ସହ ଯୁଦ୍ଧ କରିବାକୁ ସାହସ କରେ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଇସ୍ରାଏଲର ଅର୍ଥନୀତି ମନ୍ତ୍ରୀ ନୀର ବରକତ ଚେତାବନୀ ଦେଇଛନ୍ତି। ଡାଭୋସରେ ଏକ ସାକ୍ଷାତକାରରେ ବରକତ ଏହା କହିଛନ୍ତି |

ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଦେଶଙ୍କୁ ଶାନ୍ତି ସେନାରେ ପ୍ରବେଶ କରିବା ମନା | ଆନ୍ତର୍ଜାତୀୟ ଶାନ୍ତିରକ୍ଷା ପ୍ରସ୍ତାବ ନେଇ ଗାଜାରେ ଅର୍ଥନୀତି ମନ୍ତ୍ରୀ ନୀର ବରକତ ଚେତାବନୀ ଦେଇଛନ୍ତି | ସେ କହିଛନ୍ତି, ଆତଙ୍କବାଦକୁ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା କୌଣସି ଦେଶକୁ ମଧ୍ୟ ସ୍ୱାଗତ କରାଯିବ ନାହିଁ। ତେବେ ଏହି ନିୟମ ପାକିସ୍ତାନ ପାଇଁ ମଧ୍ୟ ଲାଗୁ ହେବ। ଶାନ୍ତି ସେନାରେ ପାକିସ୍ତାନର ଅଂଶଗ୍ରହଣକୁ ସେ ଖଣ୍ଡନ କରିଛନ୍ତି। ସେ ଆହୁରି କହିଛନ୍ତିଯେ, ଆମେ କାତାର ଓ ତୁର୍କୀକୁ କେବେ ମଧ୍ୟ ଶାନ୍ତି ସେନାରେ ଗ୍ରହଣ କରିବୁ ନାହିଁ। କାରଣ ଏଭଳି ଦେଶ ଗାଜାରେ ଜିହାଦୀ ସଂଗଠନ ଗୁଡିକୁ ସମର୍ଥନ କରୁଛନ୍ତି। ତେଣୁ ଆମେ ସେସବୁ ଦେଶଙ୍କୁ ଗାଜାରେ ପ୍ରବେଶ କରିବାକୁ ଦେବୁନାହିଁ।

ସେ ଅଭିଯୋଗ କରିଛନ୍ତିଯେ, ଇରାନ ଦୀର୍ଘ ଦିନରୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖି ମଧ୍ୟପ୍ରାଚ୍ୟକୁ ଅସ୍ଥିର କରି ଆସୁଛି| ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚି ହଜାର ହଜାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ତିଆରି କରିଥିଲା। ଏବଂ ଗାଜାରେ ହମାସକୁ ସମର୍ଥନ କରିବା ସହିତ ଲେବାନନରେ ହିଜବୋଲ୍ଲାକୁ ପାଣ୍ଠି ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ କରିଥିଲା। ତେବେ ଏହା ଦ୍ବାରା ଇସ୍ରାଏଲ ପାଇଁ ବିପଦ ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିରେ ଇସ୍ରାଏଲ ସେନା ପକ୍ଷରୁ ବଡ଼ ଧରଣର ଆକ୍ରମଣ କରାଯାଇ ଇରାନକୁ କଡ଼ା ଜବାବ ଦିଆଯାଇଥିଲା। ଇରାନ ନିଜକୁ ଯେତେ ବଡ଼ ଓ ଶକ୍ତିଶାଳୀ ବୋଲି ଭାବୁଛି ତାହାକୁ ଆମେ ଭୁଲ ପ୍ରମାଣିତ କରି ଦେଖାଇଦେଇଥିଲୁ | ବର୍ତ୍ତମାନ ଇରାନକୁ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ଅତ୍ୟାବଶ୍ୟକ। ଇସ୍ରାଏଲର ମୁଖ୍ୟ ଲକ୍ଷ୍ୟ ପ୍ରତିରକ୍ଷା ଉପରେ ଥିଲା । ଶାସନ ପରିବର୍ତ୍ତନ କରିବା କିମ୍ବା ଅକ୍ତିଆର କରିବା ଆମର ଯୋଜନା ନଥିଲା। ଆମର ମୁଖ୍ୟ ସ୍ୱାର୍ଥ ହେଉଛି ଇସ୍ରାଏଲର ସୁରକ୍ଷା କରିବା। କିନ୍ତୁ ଏବେ ଇରାନର ବର୍ତ୍ତମାନର ଶାସକଙ୍କୁ କ୍ଷମତାରୁ ବାହାର କରିବା ଜରୁରୀ ହୋଇପଡ଼ିଛି।

ଇଜିପ୍ଟ, ଜୋର୍ଡାନ ଓ ଆବ୍ରାହମ ଚୁକ୍ତିନାମା ସହିତ ଐତିହାସିକ ଶାନ୍ତି ଚୁକ୍ତିନାମା ଭଳି ଯଦି ଇରାନ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣେ ତେବେ ଆଜି ଆମର ଶତ୍ରୁତା ଥିବା ଦେଶମାନଙ୍କ ସହିତ ପୁଣିଥରେ ମିତ୍ରତା ସ୍ଥାପନ ହୋଇପାରେ | ଏନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ଇରାନ ଯଦି ଇସ୍ରାଏଲ ସହ ଶାନ୍ତି ଚୁକ୍ତି କରିବାକୁ ଚାହିଁବ ତେବେ ସେଥିରେ ଆମେ ନିଶ୍ଚୟ ସହଯୋଗ କରିବୁ।

ଇସ୍ରାଏଲର ଅର୍ଥନୀତି ମନ୍ତ୍ରୀ ନୀର ବରକତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଶାନ୍ତି ପ୍ରୟାସକୁ ସମର୍ଥନ କରିଛନ୍ତି | ସେ କହିଛନ୍ତି,ଏହା ପକ୍ଷପାତ କରୁଥିବା ଜାତିସଂଘ ଅପେକ୍ଷା ଏକ ଭଲ ବିକଳ୍ପ। ହେଵନରେ ସ୍ଥାନୀୟ ଆରବ ନେତୃତ୍ୱ ସହିତ ସହଯୋଗ ଗାଜାରେ ଭବିଷ୍ୟତର ଶାସନ ପାଇଁ ଉଦ୍ଦିଷ୍ଟ ପଦକ୍ଷେପ ହେବ |

ସେ ଇସ୍ରାଏଲ-ପାଲେଷ୍ଟାଇନ ଦୁଇ-ରାଷ୍ଟ୍ର ମଧ୍ୟରେ ଥିବା ବିବାଦର ସମାଧାନକୁ ଅବାସ୍ତବ କହି ଖଣ୍ଡନ କରିଛନ୍ତି। ଏହା ସହ ଇସ୍ରାଏଲର ସଂସଦରେ ସର୍ବସମ୍ମତ ବିରୋଧକୁ ନେଇ କହିଛନ୍ତି, ପାଲେଷ୍ଟାଇନ କର୍ତ୍ତୃପକ୍ଷ ଆମକୁ ଧ୍ୱଂସ କରିବା ପାଇଁ ଏକ ରାଷ୍ଟ୍ର ନିର୍ମାଣ କରିବାକୂ ଚାହୁଁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ