Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣେଶ ପୂଜା ଭଷାଣି ସମୟରେ ୬ ବର୍ଷୀୟ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ପ୍ରଚେଷ୍ଟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତଭୋଗିବେ ୫ ବର୍ଷର ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି:୨୭/୧(ଗରୁଡ ଧ୍ଵଜ ଚୌଧୁରୀ)
ଦିନକୁ ଦିନ ସମାଜରେ କୋମଳମତି ଶିଶୁଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ଏବେ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି। ସେଥିମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି; ଯେଉଁ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୧୦ରେ ପାରଳାଖେମୁଣ୍ଡିସ୍ଥିତ କୁମ୍ଭାର ସାହିର ଅଭିଯୁକ୍ତ ବାଇନାପଲ୍ଲୀ ଚନ୍ଦ୍ରଶେଖର ଓରଫ ଶେଖର (୫୫ବର୍ଷ) ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ତିନି ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ନିର୍ବସ୍ତ୍ର ପାଇଁ ଉଦ୍ଦିଷ୍ଟ ଭାରତୀୟ ନ୍ୟାୟ ସଂହିତାର ଧାରା ୭୬ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ଓ ୧ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଥିବା ବେଳେ ଅସଦାଚରଣ ପାଇଁ ଉଦ୍ଦିଷ୍ଟ ଧାରା ୭୫ରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ଅପହରଣ ପାଇଁ ରହିଥିବା ଧାରା ୧୩୭(୨)ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ତିନି ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ପଚାଶ ହଜାର ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ୍ ପୃଥ୍ୱୀରାଜ ଏହି ମାମଲାର ସଫଳ ପରିଚାଳନା କରିଥିବାବେଳେ ଏପିପି ୱାଇ. ଶିବକୁମାର ତାଙ୍କୁ ସହଯୋଗ କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ତା ୧୫-୦୯-୨୦୨୪ରିଖ ଦିନ ଯେତେବେଳେ ପାରଳାଖେମୁଣ୍ଡିରେ ଗଣେଶ ପୂଜା ବିସର୍ଜନ ଭଷାଣି ଚାଲିଥିଲା ସେତେବେଳେ ପିଡ଼ିତା ଯାହାକୁ ମାତ୍ର ୬ବର୍ଷ ବୟସ ସେ ନିଜ ବାପାଙ୍କ ସହ ଭଷାଣି ଦେଖୁଥିଲେ। ସେହି ସମୟରେ ଶୋଷ ଲାଗିବାରୁ ପାଣି ପିଇବାକୁ ବାପା ଘର ଭିତରକୁ ଚାଲିଯାଇଥିଲେ ଓ ପରେ ଆସି ଦେଖିବାକୁ ପାଇଥିଲେ ଯେ, ତାଙ୍କ ଝିଅ ସେଠାରେ ଆଉ ନାହିଁ। ଚାରିଆଡେ ଖୋଜାଖୋଜି କରିବା ସମୟରେ ଖବର ପାଇଲେ ଯେ, ତାଙ୍କ ଝିଅଙ୍କୁ କିଏ ଜଣେ ଟାଟା ଏସି କାର ମଧ୍ୟକୁ ନେଇ ସେଠାରେ ବସାଇଛି। ଖବର ପାଇବା ପରେ ସେଠାକୁ ଯାଇ ଯାହା ଦେଖିଲେ, ସେତେବେଳେ ସେ ସ୍ତବ୍ଧ ରହିଯାଇଥିଲେ। ସେ ସମୟରେ ମୁଦଲା ସ୍ଥାନୀୟ କୁମ୍ଭାର ସାହିର ବାଇନାପଲ୍ଲୀ ଚନ୍ଦ୍ରଶେଖର ଓରଫ ଶେଖର ତାଙ୍କ କୋମଳମତି ଶିଶୁ କନ୍ୟାକୁ ନିର୍ବସ୍ତ୍ର କରି ଅସଦାଚରଣ କରିବାକୁ ଆରମ୍ଭ କରିଥିଲେ। ଏହା ଦେଖି ଏତଲାକାରୀ ବାପା ଜଣଙ୍କ ଅନ୍ୟମାନଙ୍କ ସହଯୋଗରେ ନିଜ କୁନି ଝିଅକୁ ଉଦ୍ଧାର କରିବା ସହ ତା ୧୬-୦୯-୨୦୨୪ରେ ପାରଳାଖେମୁଣ୍ଡି ଥାନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସଙ୍ଗିନ ମାମଲା ଦାୟର କରିଥିଲେ ଯାହାକି ମାମଲା ନମ୍ବର ୨୮୧ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ-ଇନ୍ସପେକ୍ଟର ତପନ କୁମାର ପାଢୀ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୨୦ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୧୭ଟି ଦସ୍ତାବିଜକୁ ଆଧାର କରି ସର୍ବଶେଷରେ ଏହି ଦୃଷ୍ଟାନ୍ତମୂଳକ ରାୟ ମାନ୍ୟବର ନ୍ୟାୟାଧୀଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories