ମହାରାଷ୍ଟ୍ର ବାରାମତୀରେ ବିମାନ ଦୁର୍ଘଟଣା; ଡେପୁଟି ସିଏମ୍ ଅଜିତ୍ ପାଓ୍ୱାରଙ୍କ ଦେହାନ୍ତ, ଆଜି ହେବ ଶେଷକୃତ୍ୟ
ମୁମ୍ବାଇ,୨୯|୧: ଗତ କାଲି ୮ଟା ୪୦ ମିନିଟ୍ରେ ଏକ ଭୟଙ୍କର ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କ ଦେହାନ୍ତ ଘଟିଛି। ତାଙ୍କୁ ନେଇ ଯାଉଥିବା ଚାର୍ଟାର୍ଡ ବିମାନଟି ବାରାମତି ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା | ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଅଜିତ ପାୱାରଙ୍କ ବ୍ୟତୀତ ଦୁଇ ପାଇଲଟ୍ ଏବଂ ଦୁଇ ସୁରକ୍ଷା କର୍ମୀ (ଜଣେ ପିଏସ୍ଓ ଓ ଜଣେ ଆଟେଣ୍ଡାଣ୍ଟ) ମଧ୍ୟ ପ୍ରାଣ ହରାଇଛନ୍ତି। ପାୱାରଙ୍କ ନିଧନ ସହିତ ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଯୁଗର ଅନ୍ତ ଘଟିଛି। ବାରାମତିରେ ଜନ୍ମ ଗ୍ରହଣ କରିଥିବା ୬୬ ବର୍ଷୀୟ ଅଜିତ ପାୱାର ସେହି ନିର୍ବାଚନମଣ୍ଡଳୀରୁ ହିଁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଆଜି ବାରାମତିରେ ତାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି |
ସୂଚନା ଅନୁଯାୟୀ, ଟେବୁଲ୍-ଟପ୍ ରନ୍ୱେରେ ଅବତରଣ କରୁଥିବା ସମୟରେ ବୋମ୍ବାର୍ଡିୟର ଲିୟରଜେଟ୍-୪୫ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡିଜିସିଏ ଏକ ବିବୃତିରେ କହିଛି ଯେ, ବିମାନରେ ଥିବା ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ, ବିମାନ ଚଳାଚଳ ନିୟାମକ କହିଛନ୍ତି, ଦୃଶ୍ୟମାନତା ହ୍ରାସ କାରଣରୁ ଏହି ଦୁର୍ଘଟଣା ଘଟିଥାଇପାରେ। ବିମାନରେ ଥିବା ଦୁଇ ପାଇଲଟ୍ ହେଲେ କ୍ୟାପଟେନ୍ ସୁମିତ କପୁର ଓ ଶାମ୍ଭବୀ ପାଠକ। କପୁରଙ୍କର ୧୬,୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା ଏବଂ ଉଭୟ ଦିଲ୍ଲୀର ବାସିନ୍ଦା ଥିଲେ। ୧୬ ବର୍ଷର ପୁରୁଣା ଏହି ବିମାନ ଦିଲ୍ଲୀର ଚାର୍ଟର୍ କମ୍ପାନି ଭିଏସ୍ଆର୍ର ଅଟେ। ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ପ୍ରାଥମିକ ଦୃଶ୍ୟରେ ବାରାମତିର ଏହି ଅଞ୍ଚଳରୁ ପ୍ରଚଣ୍ଡ ନିଆଁ ଓ ଧୂଆଁ ଉଠୁଥିବାର ଦେଖାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିଲା ବେଳେ ରନ୍ୱେ ନଂ ୧୧ର ମୁହଁରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବଂ ସଙ୍ଗେ ସଙ୍ଗେ ବିମାନଟି ଜଳିଯାଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଭୀଷଣ ଥିଲା ଯେ ପାୱାରଙ୍କ ମୃତଦେହ ତାଙ୍କ ଘଣ୍ଟା ଓ ପୋଷାକ ମାଧ୍ୟମରେ ହିଁ ଚିହ୍ନଟ କରାଯାଇଥିଲା।
ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ମୁଖ୍ୟ, ଅଜିତ ପାୱାରଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଜିତଙ୍କ ଅକାଳ ବିୟୋଗକୁ ଅପୂରଣୀୟ କ୍ଷତି ଭାବେ ବର୍ଣ୍ଣନା କରି ମହାରାଷ୍ଟ୍ରର ବିକାଶରେ ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜଣେ ଜନପ୍ରିୟ ନେତା ଭାବେ ସମ୍ବୋଧିତ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଅଜିତଙ୍କ ବିୟୋଗ ଏକ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଜିତ ପାୱାରଙ୍କୁ ଜଣେ ଶକ୍ତିଶାଳୀ ଓ ଉଦାର ବନ୍ଧୁ ଭାବେ ବର୍ଣ୍ଣନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ବଡ଼ଭାଇ ସଦୃଶ ବୋଲି କହି ସ୍ମୃତିଚାରଣ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ମଧ୍ୟ ଦୁଃଖପ୍ରକାଶ କରିବା ସହ ଦେହାନ୍ତ ହୋଇଥିବା ସଦସ୍ୟଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ପୁଣେ ଜିଲ୍ଲାର ବାରାମତିସ୍ଥିତ ବିଦ୍ୟା ପ୍ରତିଷ୍ଠାନ ପରିସରରେ ଆଜି ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରୀୟ ସମ୍ମାନ ସହ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ପାୱାରଙ୍କ ମରଶରୀରକୁ ବିଦ୍ୟା ପ୍ରତିଷ୍ଠାନରେ ରଖାଯାଇଛି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଜିତଙ୍କ ପତ୍ନୀ ସୁନେତ୍ରାଙ୍କୁ ବାରାମତିରେ ଭେଟି ନିଜର ସମବେଦନା ଜାଣିଛନ୍ତି । ତେବେ ଅଜିତଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଗତକାଲି ରାଜ୍ୟରେ ୩ ଦିନିଆ ଶୋକ ପାଳନ ଏବଂ ଛୁଟି ଘୋଷଣା କରିଛନ୍ତି।

