Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପରିମାଣ ହ୍ରାସ ପାଉଛି! ଏକ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୯୨ ଟଙ୍କା

ନୂଆଦିଲ୍ଲୀ,୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍‌ଡି) ଏବଂ ଭାରତୀୟ ମୁଦ୍ରା (ଆଇଏନ୍‌ଆର୍‌) ଉଭୟ ଭିନ୍ନ ଭିନ୍ନ ସ୍ତରରେ ହ୍ରାସ ପାଇବାରେ ଲାଗିଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ କମିଛି। ସରଳ ଭାଷାରେ କହିବାକୁ ଗଲେ ଏକ ଡଲାର ପାଇବାକୁ ହେଲେ ଭାରତୀୟ ମୁଦ୍ରା ପାଖାପାଖି ୯୨ ଟଙ୍କା ଦେବାକୁ ପଡ଼ୁଛି। ଯାହା ୬ ମାସ ପୂର୍ବରୁ ଏକ ଡଲାର ପାଇଁ ଅତି ବେଶିରେ ୮୬ ଟଙ୍କା ଦେବାକୁ ପଡୁଥିଲା | ଏବଂ ସେହିପରି ୨୦୨୫ମେ – ଜୁନ ମାସରେ ଏକ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ୮୪ ଟଙ୍କା ରହିଥିଲା | ସେହିପରି ବିଶ୍ୱର ସ୍ଥିତିକୁ ଦେଖିଲେ ଆମେରିକୀୟ ଡଲାର ବିଶ୍ୱର ଅନ୍ୟ ଶକ୍ତିଶାଳୀ ମୁଦ୍ରା ମାନଙ୍କ ଅପେକ୍ଷାକୃତ ଦୁର୍ବଳ ହେଉଥିବା ଲକ୍ଷ୍ୟ କରାଯାଉଛି। ସୂଚନାଯୋଗ୍ୟ ଯେ, ‘ବାସ୍‌କେଟ ଅଫ୍‌ କରେନ୍ସି’ ଭିତରେ ମୁଖ୍ୟ ଆମେରିକୀୟ ଡଲାର, ୟୁରୋ, ଜାପାନର ୟେନ୍‌, ବ୍ରିଟିଶ ପାଉଣ୍ଡ୍‌, କାନାଡୀୟ ଡଲାର ଓ ସୁଇସ୍‌ ଫ୍ରାଙ୍କ୍‌ ଆଦି ରହିଛି। ତେଣୁ ବାସ୍‌କେଟ ଅଫ୍‌ କରେନ୍ସିର ଅନ୍ୟ ମୁଦ୍ରା ଅପେକ୍ଷା ଆମେରିକୀୟ ଡଲାର ଲଗାତାର ଭାବେ ହ୍ରାସ ପାଉଛି | ଏହା ଏବେ ଅନ୍ତର୍ଜାତୀୟ ଅର୍ଥନୀତି ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି |

ସାମ୍ପ୍ରତିକ ରିପୋର୍ଟ ଅନୁସାରେ, ଆମେରିକୀୟ ଡଲାର ଓ ଭାରତୀୟ ମୁଦ୍ରାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ବିଷୟରେ ଗୁରୁତ୍ୱାରୋପ କରିବା ଅତ୍ୟନ୍ତ ଜରୁରୀ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୯୨ ଟଙ୍କା ପହଁଚିଛି | ଏହାର ମୁଖ୍ୟ କାରଣ ହେଉଛି ବିଦେଶୀ ପୁଞ୍ଜିର ବହିର୍ଗମନ। ଭାରତୀୟ ଇକ୍ୟୁଟିରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ) ମାନେ ଯେଉଁ ଅର୍ଥ ଖଟାଇଥିଲେ ତାହାକୁ ଉଠାଇ ନେଉଛନ୍ତି। ତେବେ ଜାନୁଆରୀ ୨୦୨୬ ପ୍ରାରମ୍ଭରେ ପ୍ରାୟ ୩.୫ ବିଲିୟନରୁ ୪ ବିଲିୟନ ଡଲାର ବହିର୍ଗମନ ହୋଇଥିବା ସୂଚନା ରହିଛି । ସେହିପରି ଭାରତୀୟ ରପ୍ତାନି ସାମଗ୍ରୀ ଉପରେ ଆମରିକାର ଅତ୍ୟଧିକ ଶୁଳ୍କ ଲାଗୁ କରିବା ଦ୍ୱାରା ବାଣିଜ୍ୟ ସନ୍ତୁଳନ ପ୍ରଭାବିତ ହୋଇଛି | ଯାହାର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡିଛି | ଏହା ଆମଦାନୀକାରୀଙ୍କ (ତୈଳ ବା ଧାତୁ)ଠାରୁ ଡଲାରର ଦୃଢ଼ ଚାହିଦା ମୁଦ୍ରାର ସ୍ଥିତିକୁ ପ୍ରଭାବିତ କରୁଛି। ତେବେ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅତ୍ୟଧିକ ଅସ୍ଥିରତାକୁ ରୋକିବା ପାଇଁ ଡଲାର ବିକ୍ରି କରୁଛି, କିନ୍ତୁ ସାମଗ୍ରିକ ହ୍ରାସ ଧାରାକୁ ବଦଳାଇପାରି ନାହିଁ।

ଭାରତୀୟ ମୁଦ୍ରା ତୁଳନାରେ ଡଲାର ଶକ୍ତିଶାଳୀ ହେଉଥିବା ସତ୍ତ୍ୱେ ଏହା ବିଶ୍ୱବ୍ୟାପୀ ବଜାରରେ ଦୁର୍ବଳତାର ସଙ୍କେତ ଦେଉଛି। ଫେଡେରାଲ ରିଜର୍ଭ ନୀତି, ବିଶ୍ୱବ୍ୟାପୀ ଅସ୍ଥିରତା, ନୀତିରେ ଅନିଶ୍ଚିତତା ଆଦି ପ୍ରମୁଖ କାରଣ ଯୋଗୁ ଏଭଳି ଅସ୍ଥିରତା ଦେଖାଦେଉଛି | ଆମେରିକାର ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହ୍ରାସ ଯୋଗୁ ଡଲାର ଦୁର୍ବଳ ହେଉଛି। ସେହିପରି ଆମେରିକୀୟ ନୀତି, ସମ୍ଭାବ୍ୟ ବାଣିଜ୍ୟ ଯୁଦ୍ଧ ଓ ଫେଡେରାଲ ବ୍ୟବସ୍ଥାର ସ୍ବାଧୀନତା ନେଇ ପ୍ରଶ୍ନ କରାଯିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି।

ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୦୨୫ରେ ୫.୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ସେହି ଧାରା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଡଲାର ବିଶ୍ୱସ୍ତରରେ ନିଜର ଶକ୍ତି ହରାଉଥିବା ବେଳେ ଭାରତରୁ ପୁଞ୍ଜି ବହିର୍ଗମନ ଏକ ବିରୋଧକର ପରିସ୍ଥିତି ସୃଷ୍ଟି କଲାଭଳି ହୋଇଛି। ବିଶ୍ଳେଷକଙ୍କ ମତରେ ଯଦି ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଗକୁ ବଢ଼େ, ତେବେ ୨୦୨୬ରେ ଭାରତୀୟ ମୁଦ୍ରାର ମୂଲ୍ୟ ପୂର୍ବସ୍ଥିତି କୁ ଫେରିବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ