ବାଚସ୍ପତିଙ୍କ ଉପରେ କାଗଜ ଫୋପାଡ଼ି ସମଗ୍ର ଅଧିବେଶନରୁ ୮ ସାଂସଦ ନିଲମ୍ବିତ!
ନୂଆଦିଲ୍ଲୀ,୪।୨: ଲୋକସଭାର ଅଧିବେଶନରୁ ୮ ସାଂସଦ ନିଲମ୍ବିତ | ବାଚସ୍ପତିଙ୍କ ଉପରେ କାଗଜ ଫୋପାଡିବା ଆଧାରରେ ବିରୋଧି ଦଳ ସାଂସଦଙ୍କୁ ନିଲମ୍ବିତ। ଚଳିତ ବଜେଟ୍ ଅଧିବେଶନରୁ ସମ୍ପୂର୍ଣ୍ଣ ଭାବେ ଏହି ସମସ୍ତଙ୍କୁ ନିଲମ୍ବିତ କରାଯାଇଛି | ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ସଂସଦରେ ପ୍ରବଳ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏହା ପରେ ନାରାବାଜି ଓ ପେପର ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।
ବାଚସ୍ପତିଙ୍କ ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏଥିରେ ସାତ ଜଣ କଂଗ୍ରେସ ସାଂସଦ ରହିଛନ୍ତି। ସେମାନେ ହେଉଛନ୍ତି, ଅମରିନ୍ଦର ସିଂହ, ରାଜା ୱାରିଂ, ପ୍ରଶାନ୍ତ ପାରୋଲ, ହିବି ଏଡେନ, ଗୁରଜିତ ଆଉଜଲା, ଡିନ୍ କୋରିଆକୋସ୍, ମାନିକମ୍ ଟାଗୋର, କିରଣ କୁମାର ରେଡ୍ଡୀ ଏବଂ ଜଣେ ସିପିଆଇ(ଏମ୍) ସାଂସଦ ଏସ୍. ଭେଙ୍କଟେସନ। ଏତେବେ ସାଂସଦଙ୍କ ନିଲମ୍ବନ ଘଟଣାରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଗୃହ ବାହାରେ ପ୍ରତିବାଦ ଆରମ୍ଭ କରୁଥିବାର ଦେଖିବାକୁ ମିଳିଛି ।
ବଜେଟ ଅଧିବେଶନର ପଞ୍ଚମ ଦିନରେ ବିରୋଧୀ ଦଳ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁନର୍ବାର ପୂର୍ବତ୍ତନ ସେନା ମୁଖ୍ୟ ଏମଏମ ନରଭାଣେଙ୍କ ପୁସ୍ତକ ପ୍ରସଙ୍ଗ ଉଠାଇ ଡୋକଲାମ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇବାକୁ ଉଦ୍ୟମ କରିଥିଲେ। ମାତ୍ର ତାଙ୍କୁ କହିବାକୁ ଅନୁମତି ମିଳି ନଥିଲା। ଏହାକୁ ନେଇ ବିରୋଧୀ ଦଳର ସାଂସଦମାନେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ। ହଟ୍ଟଗୋଳ ଆରମ୍ଭ ହେବା ପରେ, ଲୋକସଭା କାର୍ଯ୍ୟ କାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ତେବେ ଏହି ହଟ୍ଟଗୋଳ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣକୁ ନେଇ ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ରାହୁଲ ଗାନ୍ଧୀ ପୁଣି ଥରେ ଚୀନ୍ ପ୍ରସଙ୍ଗ ଉଠାଇବା ଆରମ୍ଭ କରିବା ମାତ୍ରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ତେବେ ଏହାପରେ ରାହୁଲ କହିବାକୁ ଜିଦ୍ ଧରିଥିଲେ, କିନ୍ତୁ ଶେଷରେ ଭାଷଣ ଶେଷ ନହୋଇପାରି ଅଧାରେ ରହିଲା। ହଟ୍ଟଗୋଳ କାରଣରୁ ଗୃହକୁ ଅନେକ ଥର ପାଇଁ ମୁଲତବୀ ରଖିବାକୁ ପଡିଲା। ହଟ୍ଟଗୋଳ ବେଳେ, ଲୋକସଭାରେ ସାଂସଦମାନେ ବାଚସ୍ପତିଙ୍କ ଆଡ଼କୁ କାଗଜ ଚିରି ଫୋପାଡିଥିଲେ। ଅପରାହ୍ନ ୩ଟାରେ ଚତୁର୍ଥ ଥର ପାଇଁ ଲୋକସଭା ପୁନର୍ବାର ଆରମ୍ଭ ହେବା ପରେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କାଗଜ ଫିଙ୍ଗିଥିବା ସାଂସଦମାନଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ, ଯାହାକୁ ବହୁ ମତରେ ଗୃହୀତ କରାଯାଇଥିଲା।

