ଗଜପତି ଜିଲ୍ଲାର ଗୁମ୍ମା, ରାୟଗଡ ଓ ନୂଆଗଡ ବ୍ଲକ ରେ ଆଉ ୩ ଗୋଟି ଉପ-ନିବନ୍ଧକ କାର୍ଯ୍ୟାଳୟ ଉଦ୍ଘାଟିତ
ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟ ସରକାରଙ୍କ ଦ୍ବାରା ଜମି ସମ୍ବନ୍ଧୀୟ ସମସ୍ତ ସୁବିଧା ଜନସାଧାରଣଙ୍କୁ ଯୋଗଇ ଦେବାକୁ ପ୍ରତ୍ୟେକ ବ୍ଲକର ତହସିଲ କାର୍ଯ୍ୟାଳୟରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଦ୍ଵାରା ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ସୁଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମାଳରେ ଉପନିବନ୍ଧକ କାର୍ଯ୍ୟାଳୟ ଶୁଭ ଉଦଘାଟନ ଓ “ଆମ ସାଥୀ ” ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ମାଧ୍ଯମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ – କୈନ୍ଦ୍ରିକ ସେବା ଗୁଡିକ ଲୋକାର୍ପଣ ହୋଇଯାଇଅଛି । ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଓ ଅନ୍ୟ ସଚିବ ପ୍ରମୁଖ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡିଶାର ୫୭ଟି ଉପନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଥିବା ବେଳେ ସେଥିମଧ୍ୟରୁ ଗଜପତି ଜିଲ୍ଲାରେ ୩ ବ୍ଲକ ଗୁମ୍ମା, ରାୟଗଡ଼ ଓ ନୂଆଗଡ ବ୍ଲକରେ ଉପନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡିଓ କନଫରେନ୍ସିଂ ଉଦ୍ଘାଟନୀ କର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗା ସମେତ ଡେପୁଟି କଲେକ୍ଟର ମିତାଳି ମଧୁମିତା ପାଢ଼ୀ, ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିନାଥ ସାହୁ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

