ପାରଳାଖେମୁଣ୍ଡି ଠାରେ ନାଟ୍ୟକାର ଆପନ୍ନା ପରିଚ୍ଛା’ଙ୍କ ୧୪୮ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି ଠାରେ ନାଟ୍ୟକାର ଆପନ୍ନା ପରିଚ୍ଛା’ଙ୍କ ୧୪୮ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି :୧୬/୨(ଗରୁଡ ଧ୍ଵଜ ଚୌଧୁରୀ)
ଓଡ଼ିଶା ସାହିତ୍ୟ ଏକାଡେମୀ , ଭୁବନେଶ୍ୱର ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପାରଳାଖେମୁଣ୍ଡି’ର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛା’ଙ୍କ ୧୪୮ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି’ର ସର୍ବ-ପୁରାତନ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା’ର ପ୍ରାକ୍ତନ ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା’ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ରୂପେ ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ସୁଜିତ୍ କୁମାର ପଣ୍ଡା , ବିଶିଷ୍ଟ ଅତିଥି ଭାବେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ’ର ସହକାରୀ ପ୍ରଫେସର ଡ଼ଃ ବିପ୍ଲବ ରଞ୍ଜନ ପ୍ରଧାନ , ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନାଟ୍ୟକାର ଆପନ୍ନା ପରିଛା ଙ୍କ ସ୍ମୃତି ଚାରଣ କରି ତାଙ୍କର ବିଭିନ୍ନ କ୍ଷେତ୍ରରେ ରହିଥିବା ଅବଦାନ ସମ୍ପର୍କରେ କହି ଓଡ଼ିଆ ନାଟ୍ୟଜଗତ’ର ଏକ ଅମ୍ଳାନ ପ୍ରତିଭା ଭାବେ ନାଟ୍ୟକାର ଆପନ୍ନା ପରିଚ୍ଛା ସୁବିଦିତ । ଶ୍ରୀ ଶ୍ରୀ ରସିକରାଜ ପ୍ରାସାଦୈକ ସୁଜନ ମନୋରଞ୍ଜନ ନାଟ୍ୟସଂଘ ସେ ଗଠନ କରିଥିଲେ । ଉକ୍ତ ସଂଘ ଦ୍ୱାରା ପ୍ରତିଷ୍ଠିତ ରଙ୍ଗମଞ୍ଚ ପରବର୍ତ୍ତୀ ସମୟରେ ୧୯୦୫ ମସିହାରେ ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ ନାମରେ ନାମିତ ହୋଇଥିଲା । ଜାତିର ସ୍ଵାଭିମାନୀ ଆଭିଜାତ୍ୟ ସଂପନ୍ନ ପରିଚ୍ଛା ବଂଶରେ ସେ ଜନ୍ମ ହୋଇ ରସିକରାଜଙ୍କ ଅପାର କରୁଣାରୁ ବହୁ ଘାତପ୍ରତିଘାତ ମଧ୍ୟରେ ସଫଳତାର ସିଢ଼ି ଚଢ଼ି ସାହିତ୍ୟ ଜଗତକୁ ସେ ରୁଦ୍ଧିମନ୍ତ କରିଥିଲେ ବୋଲି କହିଥିଲେ । ଅନ୍ୟପକ୍ଷରେ ସେ ତାଙ୍କର ସ୍ୱରଚିତ ନାଟକ , ବିଜୟ ବସନ୍ତ , ସୀତା ବନବାସ , ନବଲୀଳା ବିଳାସ , ଗୋଷ୍ଠମିଳନ , ମାନଭଞ୍ଜନ, ରାଧାକୃଷ୍ଣ ପ୍ରଣୟ ଆଦି ରଚନା କରି ଏ ସାରସ୍ୱତ ଜଗତକୁ ନିଜର ପରିଚୟତା ପ୍ରଦାନ କରିପାରିଥିଲେ। ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ନାଟକରେ ବିଭିନ୍ନ ଚରିତ୍ର ମାଧ୍ୟମରେ ଉଚ୍ଚନୀଚ , ଧନୀଗରିବ , ଭେଦଭାବ ଓ ଧାର୍ମିକ ଚେତନାକୁ ଅତି ସୂକ୍ଷ୍ମ ଭାବରେ ଦର୍ଶାଇବା ସହିତ ତତ୍କାଳୀନ ସମାଜରେ ଏକ ବୈପ୍ଳବିକ ଚିନ୍ତାଧାରା ଜାଗ୍ରତ କରିବାରେ ସଫଳତା ସେ ଅର୍ଜନ କରିଥିଲେ। ନାଟ୍ୟକାର ପରିଛା ଏକାଧାରରେ ଜଣେ ଦେଶଭକ୍ତ , ବିପ୍ଳବୀ , ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଭାବେ ସେ ପରିଗଣିତ ହୋଇ ପାରିଥିଲେ। ଦେଶ ମିଶ୍ରଣରେ ପୂର୍ଣ୍ଣ ସହଯୋଗ ଏବଂ ୧୯୨୪ ମସିହାରେ ରଇତ ଆନ୍ଦୋଳନର ଏକ ପ୍ରମୁଖ ଭାବେ ଅଂଶଗ୍ରହଣ କରି ନିଜକୁ ପ୍ରତିପାଦନ କରିପାରିଥିଲେ । ନିଜର କର୍ମମୟ ଜୀବନରେ ବିଭିନ୍ନ ଝଡ଼ଝଞ୍ଜାକୁ ସହ୍ୟକରି ନେଇ ସ୍ଵାର୍ଥାନ୍ଵେଷୀ ପୁଞ୍ଜିପତିମାନଙ୍କ ବିରୋଧରେ ଦୃଢ଼ ସ୍ୱରଉତ୍ତୋଳନ କରିଥିଲେ। ଇଂରେଜମାନଙ୍କ କବଳରୁ ସେ ବାଦ୍ ନ ପଡ଼ି ଏ ଦିଗରେ ଦଣ୍ଡାୟମାନ ହୋଇ କାର୍ଯ୍ୟ ସଂପାଦନ କରିଥିଲେ । ଭାଷାଭିଭିକ ସ୍ଵତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି , ପଣ୍ଡିତ ଗୋପବନ୍ଧୁ , ମଧୁସୂଦନ , ପଣ୍ଡିତ ନୀଳକଣ୍ଠ , ଫକୀରମୋହନ ଇତ୍ୟାଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହାର ସ୍ୱତନ୍ତ୍ରତା ପାଇଁ ଆଗେଇ ଆସିଥିଲେ। ସେ ସମୟରେ ପରିଚାଳିତ ପରିଚ୍ଛା ମଠକୁ ଓଡ଼ିଶାର ଆନନ୍ଦ ମଠ ବୋଲି ପରିଗଣିତ ହୋଇଥିଲା। ଏହି ସ୍ୱଜାତି-ପ୍ରେମୀ ବିଶିଷ୍ଟ ନାଟ୍ୟକାର , ସମାଜ ଦିଗ୍ଦର୍ଶକ , ମହାନ୍ ସାରସ୍ଵତ ସାଧକ ଓଡ଼ିଆ ଜାତିର ଚିରନମସ୍ୟ ହୋଇ ରହିବେ ବୋଲି ବକ୍ତା ମାନେ କହିଥିଲେ।ଭାରତୀୟ ସଂସ୍କୃତିରେ ପୂଜ୍ୟପୂଜାର ପରମ୍ପରା କାହିଁ ଅନାଦି କାଳରୁ ଚଳି ଆସୁଅଛି। ସର୍ବୋପରି ଏହାର ଆୟୋଜନ ଓଡ଼ିଶା ତଥା ପାରଳାରେ ମଧ୍ୟ ଦେଖିବାକୁ ମିଳେ। ସେହି ମହାନ ପୁରୁଷ , ଅମ୍ଳାନ ପ୍ରତିଭାଧାରଙ୍କ ଅନୁସରଣ କରି ଆମେ ଆମର ନୈତିକ ତଥା ପବିତ୍ର କର୍ତ୍ତବ୍ୟକୁ ପାଳନ କରିବା। ତେଣୁ ଏହି ଅବସରରେ ଓଡ଼ିଶାର ସ୍ୱନାମଧନ୍ୟ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ଜୟନ୍ତୀ ପାଳନ କରାଯାଉଛି। ଯାହାକି ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ମୁରଲୀଧର ପରିଚ୍ଛା ତାଙ୍କର ସଂପାଦକୀୟ ବିବରଣୀ ପାଠରେ କହିଥିଲେ।ସଭା କାର୍ଯ୍ୟ ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ ହୋଇଥିଲା।ଏହି ଅବସରରେ “ଆପନ୍ନା ପରିଚ୍ଛା ସ୍ମୃତି ସଂସଦ” ପକ୍ଷରୁ ଡ. ସୁଜିତ୍ କୁମାର ପଣ୍ଡା’ଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ- ୨୦୨୬ ପ୍ରଦାନ କରା ଯାଇଥିବା ବେଳେ ଶ୍ରୀ ଦେବାଶିଷ ମହାପାତ୍ର’ଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ପ୍ରତିଭା ସମ୍ମାନ- ୨୦୨୬ ପ୍ରଦାନ କରା ଯାଇଥିଲା ଏବଂ ରୋହିଣୀ କୁମ୍ଭ ଙ୍କୁ “ନାଟ୍ୟକାର ଆପନ୍ନା ପରିଚ୍ଛା ଶିଶୁ ପ୍ରତିଭା ସମ୍ମାନ- ୨୦୨୬” ପ୍ରଦାନ କରା ଯାଇଥିଲା।କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ନେହା ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ , ସଙ୍ଗୀତା ପାତ୍ର ଓ ଗାୟତ୍ରୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ , ଶ୍ରୀ ତ୍ରିପତି ପଣ୍ଡା ଓ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା ଙ୍କ ସମେତ ସ୍ମୃତି ସଂସଦର କର୍ମକର୍ତ୍ତା ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

