ଟାୱଲ୍ରେ ତଣ୍ଟି ଚିପି ପତ୍ନୀଙ୍କୁ ହତ୍ୟା: ଇସ୍ରୋର ପୂର୍ବତନ କର୍ମଚାରୀ ନାଗେଶ ରାଓ ଗିରଫ
ବେଙ୍ଗାଲୁରୁ,୧୯|୨: ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ଗିରଫ କରିଛି ପୋଲିସ | ସେ ଗତ କିଛି ଦିନ ଧରି ମାନସିକ ରୋଗର ଶିକାର ହୋଇ ଚିକତ୍ସାଧୀନ ଅବସ୍ଥାରେ ରହିଥିଲେ | ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ମିଳିଛି | ବେଙ୍ଗାଲୁରୁରେ ରହୁଥିବା ଆପାର୍ଟମେଣ୍ଟରୁ ପତ୍ନୀଙ୍କ ଶବ ମିଳିବା ପରେ ଗତ କାଲି ବୁଧବାର ନାଗେଶଙ୍କୁ ପୋଲିସ ଗିରଫ କରିଛି।
ସୂଚନା ମୁତାବକ, ୬୫ ବର୍ଷୀୟ ନାଗେଶ ଇସ୍ରୋର ପୂର୍ବତନ କର୍ମଚାରୀ ଥିଲେ | ସେ ଇସ୍ରୋରୁ ଅବସର ନେବା ପରେ ବେଙ୍ଗାଲୁରୁର ହ୍ବାଇଟଫିଲ୍ଡ ଅଞ୍ଚଳରେ ଥିବା ଭର୍ଚୁଓସୋ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ନିଜ ପତ୍ନୀ ସନ୍ଧ୍ୟାଶ୍ରୀଙ୍କ ସହ ବାସ କରୁଥିଲେ । ୧୮ ଫେବୃଆରୀ ସକାଳେ ପୁଲିସକୁ ଏହି ହତ୍ୟା ଘଟଣା ବିଷୟରେ ଖବର ମିଳିଥିଲା। ତେବେ ପତ୍ନୀଙ୍କୁ ହତ୍ୟା କରିବା ପରେ ମଧ୍ୟ ନାଗେଶ କୁଆଡେ ଚାଲି ନ ଯାଇ ନିଜ ଘରେ ହିଁ ରହିଥିଲେ। ଏନେଇ ପୋଲିସ ସୂଚନା ଦେଇଛି | ତାଙ୍କୁ ପୋଲିସ ପଚରାଉଚରା କରିବା ସମୟରେ ସେ ହତ୍ୟା କରିଥିବା ମଧ୍ୟ ସ୍ବୀକାର କରିଛନ୍ତି। ଉଭୟଙ୍କର ଏକ ଝିଅ ରହିଛି ଯିଏ ଆମେରିକାରେ ରହନ୍ତି। ତେବେ ପୁଲିସ ତାଙ୍କୁ ଏ ବାବଦରେ ସୂଚନା ଦେବା ପରେ ହତ୍ୟା ମାମଲା ରୁଜୁ କରି ନିଜର ଯାଞ୍ଚ ଆରମ୍ଭ କରିଥିବା ଜଣାପଡିଛି |

