ଗୋଷାଣୀ ବ୍ଲକ ବୋମିକା ଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ବାଲ୍ୟ ବିବାହ ନିରୋଧକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ
ଗୋଷାଣୀ ବ୍ଲକ ବୋମିକା ଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ବାଲ୍ୟ ବିବାହ ନିରୋଧକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ
ନାଲସା ଜାଗୃତି ଯୋଜନା ଏବଂ ନାଲସା ଆଶା ଯୋଜନା ଅନୁଯାୟୀ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ତଥା ବାଲ୍ୟ ବିବାହ ନିରୋଧ ପାଇଁ ଆଇନରେ ରହିଥିବା ବିଭିନ୍ନ ଦିଗ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆଜି ତା ୨୦.୦୨.୨୦୨୬ରିଖ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଅନ୍ତର୍ଗତ ବୋମିକା ଗ୍ରାମ ପଞ୍ଚାୟତ ସଭାଗୃହରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ତଥା ପାରଳାଖେମୁଣ୍ଡିସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟଙ୍କ ସହଯୋଗରେ
ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର, ସହାୟକ ଶ୍ରମ ଅଧିକାରୀ ମଦନ ମୋହନ ଟୁଡୁ ଓ ପ୍ରଯୁକ୍ତା ଶବର, ଏ.ପି.ପି. ଏଡ଼ଲା ଶିବ କୁମାର, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ସ୍ଥାନୀୟ ସରପଞ୍ଚ ଗିନି ବିମଳାବତୀ, ନାଏବ ସରପଞ୍ଚ ଏ. ବସନ୍ତ ରାଓ, ଗୁରାଣ୍ଡି ଥାନାର ଏ.ଏସ.ଆଇ. ସୁଶାନ୍ତ ଦଳେଇ, ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ, ଗିନି ରମେଶ, ଗିନି ଲକ୍ଷ୍ମଣ ରେଡ୍ଡୀ ତଥା ପାରଳାଖେମୁଣ୍ଡି ସ୍ଥିତ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟର ସମାଜସେବୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ତଥା ଶିଶୁ ସୁରକ୍ଷାକୁ ନେଇ ରହିଥିବା ଆଇନର ବିଭିନ୍ନ ଦିଗ ବିଷୟରେ ତର୍ଜମା କରିବା ସହ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ନାଲସା)ଙ୍କ ଆଇନ ସଚେତନତା ଯୋଜନାଗୁଡ଼ିକ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ। ବିଶେଷକରି ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ରହିଥିବା ସରକାରଙ୍କର ବିଭିନ୍ନ ଯୋଜନା ତଥା ପଞ୍ଜିକରଣ, ବାଲ୍ୟ ବିବାହ ନିରୋଧ ଏବଂ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ନ୍ୟାୟ ପ୍ରାପ୍ତି ସମ୍ପର୍କରେ ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ଚର୍ଚ୍ଚା କରାଯାଇଥିଲା। ସେହିପରି ଉପସ୍ଥିତ ଅତିଥିମାନେ ନାରୀମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନାଗୁଡିକୁ ନେଇ ସମସ୍ତଙ୍କୁ ଅବଗତ କରେଇବା ସହ ସାଇବର ଅପରାଧକୁ ନେଇ ସମସ୍ତଙ୍କୁ ସଚେତନ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୋମିକା ଗ୍ରାମପଞ୍ଚାୟତର ଜନସାଧାରଣ, ଗୁରାଣ୍ଡି ଥାନାର କର୍ମଚାରୀ ତଥା ଜିଲ୍ଲା ନ୍ୟାୟାଳୟର କର୍ମଚାରୀ ସାହାଯ୍ୟ ସହଯୋଗର ଯଥାର୍ଥ ହାଥ ବଢାଇଥିଲେ।

