ଟ୍ରମ୍ପ୍ଙ୍କ ଟାରିଫ ଘୋଷଣା ନିଷ୍ପତ୍ତି : ସବୁ ଦେଶ ଉପରେ ଲାଗୁ କଲେ ୧୫% ଶୁଳ୍କ
ୱାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝଟକା । ବିଭିନ୍ନ ରାଷ୍ଟ୍ର ଉପରେ ଲଗାଇଛନ୍ତି ଟାରିଫ ।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଭିନ୍ନ ଦେଶ ଉପରେ ଆମଦାନୀ ଟାରିଫ ବୃଦ୍ଧି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପ୍ରଥମେ ସବୁ ଦେଶ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରିବାକୁ ଘୋଷଣା କରିଥିବାବେଳେ କିଛି ଘଣ୍ଟା ମଧ୍ୟରେ ଏହାକୁ ୧୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହାର ପ୍ରଭାବରେ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି । ଭାରତ ପାଇଁ ଏହା କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି, କାରଣ ପୂର୍ବରୁ ୧୮ ପ୍ରତିଶତ ଥିବା ଆମେରିକୀୟ ଶୁଳ୍କ ବର୍ତ୍ତମାନ ୧୫ ପ୍ରତିଶତକୁ କମିବ । ଏହା ପୂର୍ବରୁ ରୁଷ୍ ନିକଟରୁ ତେଲ କ୍ରୟକୁ ନେଇ ଭାରତ ଉପରେ ମୋଟ ଶୁଳ୍କ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିଲା, ପରେ ବାଣିଜ୍ୟିକ ଆଲୋଚନା ପରେ ଏହାକୁ କମାଯାଇଥିଲା ।
ଏହା ମଧ୍ୟରେ Supreme Court of the United States ୬-୩ ମତରେ ଟ୍ରମ୍ପଙ୍କ ଟାରିଫ ନୀତିକୁ ବେଆଇନ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ଇଣ୍ଟରନ୍ୟାସନାଲ ଏମରର୍ଜେନ୍ସି ଇକୋନୋମିକ୍ ପାୱାର୍ସ ଆକ୍ଟ-୧୯୭୭ ଅନୁଯାୟୀ ଶୁଳ୍କ ଲାଗୁ କରିବା କ୍ଷମତା କେବଳ ଆମେରିକା କଂଗ୍ରେସ (ପାର୍ଲାମେଣ୍ଟ) ନିକଟରେ ରହିଛି । ତଥାପି ଟ୍ରମ୍ପ ଏହି ରାୟକୁ ସମାଲୋଚନା କରି କହିଛନ୍ତି ଯେ ଦେଶର ସ୍ୱାର୍ଥ ଓ ସୁରକ୍ଷା ପାଇଁ ଶୁଳ୍କ ବୃଦ୍ଧି ଆବଶ୍ୟକ । ତାଙ୍କର ଅର୍ଥ ସଚିବ ମଧ୍ୟ କହିଛନ୍ତି ଯେ, ସରକାର ନିଜ ନିଷ୍ପତ୍ତି ବଦଳାଇବେ ନାହିଁ । ବର୍ତ୍ତମାନ ଏହି ଟାରିଫ ଘୋଷଣାକୁ ନେଇ ବିଶ୍ଵ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଆଗକୁ ଟ୍ରମ୍ପ ସରକାର ଙ୍କ ନିଷ୍ପତ୍ତି କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ଆମେରିକା ଉପରେ ରହିଛି ।

