ଦୁଇ ବର୍ଷରେ ତିନି ଦୁର୍ଘଟଣା: ତେଜସ୍ କୁ ନେଇ ଉଠୁଛି ପ୍ରଶ୍ନ?
ନୂଆଦିଲ୍ଲୀ,୨୩|୨: ପୁଣି ଥରେ ବାୟୁସେନାର ଆଉ ଏକ ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ! ଯୁଦ୍ଧବିମାନଟି ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଉଡାଣ କରି ଲ୍ୟାଣ୍ଡିଂ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି। ବୈଷୟିକ ତ୍ରୁଟି କାରଣରୁ ଏହି ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି | ଦୁର୍ଘଟଣା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଏହା ହେଉଛି ତୃତୀୟ ଥର । ସୂଚନାଯୋଗ୍ୟ, ଗତ ୨୦୨୪ ମସିହା ମାର୍ଚ୍ଚରେ ଜୟସାଲ୍ମେରରେ ପ୍ରଥମ ତେଜସ୍ ଦୁର୍ଘଟଣା ହୋଇଥିଲା। ଏବଂ ୨୦୨୫ ନଭେମ୍ବରରେ ଦୁବାଇର ଆନ୍ତର୍ଜାତିକ ଏୟାର ଶୋ’ ବେଳେ ଦ୍ବିତୀୟ ଥର ଭାବେ ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା | ତେବେ ଦେଶୀୟ ଭାବେ ନିର୍ମିତ ଏହି ଯୁଦ୍ଧବିମାନକୁ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକାର ପ୍ରତୀକ ବୋଲି ପ୍ରଚାର କରାଯାଉଥିବାବେଳେ ଏହି ଘଟଣାଟି ପୁନର୍ବାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।

