Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଟିି ଟିମରେ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା – ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର,୨୪|୨: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ | ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ | ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିଯେ, ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆମକୁ ମିଳିଛି । ୧୪ ପୃଷ୍ଠା ବିଶିଷ୍ଠ ଏକ ଏସଓପି ହସ୍ତଗତ ହୋଇଛି । ତେବେ ଶ୍ରୀମନ୍ଦିର ଗଣତି ମଣତି ନେଇ ୨ଟି ଟିମ୍‌ ଗଠନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ତତ୍ତ୍ୱାବଧାରକ ଟିମ୍‌ ଓ କାର୍ଯ୍ୟବାହୀ ଟିମ୍‌ ଭାବେ ଦୁଇଟି ଟିମ ଗଠନ କରାଯିବ । ତେବେ କେଉଁଦିନ ଠାରୁ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ତାହା ପରିଚାଳନା କମିଟି ସ୍ଥିର କରିବ । ସୂଚନା ଅନୁସାରେ ଗଠନ ହେବାକୁ ଥିବା ଏହି ଦୁଇ ଟିମକୁ ମୁଖ୍ୟ ପ୍ରଶାସକ ଲିଡ୍‌ କରିବେ ।

ସୂଚନାଯୋଗ୍ୟ, ଆଜିଠୁ ନୀଳାଦ୍ରିବିଜେକୁ ମାତ୍ର ୧୩୫ଦିନ ବାକି ରହିଛି । କିନ୍ତୁ ଏହି ୧୩୫ଦିନ ଭିତରୁ ୧୦୦ ଦିନ ଗଣତି ମଣତି ହୋଇପାରିବ ନାହିଁ । ଅନ୍ୟ ୩୫ଟି ଦିନରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଣତି ମଣତି ଦିନ ଧାର୍ଯ୍ୟ କରିବାକୁ ଏସଓପିରେ ଦର୍ଶାଯାଇଛି । ଶନିବାର ଓ ରବିବାର ଭକ୍ତଙ୍କ ଗହଳି ଅଧିକ ହେଉଥିବାରୁ ଏହି ଦିନଗୁଡିକରେ ଗଣତି ମଣତି ପ୍ରକ୍ରିୟା କରାଯାଇପାରିବ ନାହିଁ |

ତେବେ ନୀଳାଦ୍ରି ବିଜେ ଭିତରେ ଗଣତି ମଣତି ପାଇଁ କେବଳ ୨୪ ଦିନ ମିଳିବ, ଗଣତି ମଣତିରେ ଏସବିଆଇ ପ୍ୟାନେଲଭୁକ୍ତ ୬ ଜଣ ବଣିଆଙ୍କୁ ସାମିଲ କରାଯିବ, ଜଣେ ଜେମୋଲୋଜିଷ୍ଟ ଓ ଆରବିଆଇର ୨ ଜଣ ଅଧିକାରୀ ମଧ୍ୟ ଗଣତି ବେଳେ ଉପସ୍ଥିତ ରହିବେ । ୨ ଜଣ ଏକ୍ସପର୍ଟ ଫଟୋଗ୍ରାଫର ସବୁ କିଛି ରେକର୍ଡିଂ କରିବେ, ସବୁକିଛି ଡିଜିଟାଇଜେସନ କରି ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି । ତେବେ ଏହାପୂର୍ବରୁ ୧୯୭୮ ମସିହାରେ ଗଣତି ମଣତି ପ୍ରକ୍ରିୟା ହୋଇଥିଲା | ଏଥିପାଇଁ ସର୍ବମୋଟ ୭୨ ଦିନ ଲାଗିଥିଲା | ୧୯୭୮ ମସିହାର ଗଣତି ମଣତି ସହ ଏହିଥର ମେଳକ କରାଯିବ କିନ୍ତୁ ଭାଲ୍ୟୁଏସନ କରାଯିବନି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ