ରାୟଗଡ଼ା ପିଲାଚୋର ଗୁଜବକୁ ନେଇ ଭିଡ଼ ହିଂସା ମାମଲା; ମୁଖ୍ୟ ଅଭିଯୁକ୍ତ ଗିରଫ
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପିଲାଚୋର ଗୁଜବକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ରାଜେଶ ଉଲ୍ଲକାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୨୪ରେ ପହଞ୍ଚିଛି। ପୁଲିସ ପକ୍ଷରୁ ତଦନ୍ତ ସହ ଅଞ୍ଚଳରେ ପେଟ୍ରୋଲିଂ ମଧ୍ୟ ଜୋରଦାର କରାଯାଇଛି।
ପୁଲିସ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ଦୁରିପଦର ଗ୍ରାମର ବାସିନ୍ଦା। ସେହିପରି ଅନ୍ୟ ଅଭିଯୁକ୍ତ ରାଜେଶ ଉଲ୍ଲକା ଧାମୁଣିପଙ୍ଗା ପଞ୍ଚାୟତର କଟିକିନାଳ ଗ୍ରାମର ବୋଲି ଜଣାପଡ଼ିଛି। ଦିଲ୍ଲୀର ସୁମନ ଝାପ ଏବଂ ଗୁଜରାଟର ଅର୍ପିତା ସୂତାରିଆ ଫେଲୋସିପ୍ କାର୍ଯ୍ୟକ୍ରମ ପାଇଁ ଏହି ଅଞ୍ଚଳକୁ ଯାଉଥିବା ବେଳେ, ରାସ୍ତା ଖରାପ ଥିବା କହି ସେମାନଙ୍କୁ ଫେରାଇ ଦିଆଯାଇଥିଲା। ପରେ ସେମାନଙ୍କୁ ପିଲାଚୋର ବୋଲି ବିଭିନ୍ନ ଗ୍ରାମରେ ଗୁଜବ ପ୍ରଚାର କରାଯାଇଥିବା ପୁଲିସ ତଦନ୍ତରୁ ସାମ୍ନାକୁ ଆସିଛି।
ଏହି ଗୁଜବ ପରେ ଦାଣ୍ଡପଦର, ସିଲେଟ, ବଣ୍ଡେଲି, ତାଡିଝୋଲା, ଧାମୁଣିପଙ୍ଗା, କଟିକିନାଳ ଏବଂ ଇନ୍ତାଲିଗୁଡ଼ା ଭଳି ଗ୍ରାମ ଦେଇ ଯାଉଥିବା ସମୟରେ ସାହିନଗର ନିକଟରେ ଉତ୍ତ୍ୟକ୍ତ ଯୁବକମାନେ ସେମାନଙ୍କୁ ଘେରି ଆକ୍ରମଣ କରିଥିଲେ। ଘଟଣା ପରେ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରି ପୂର୍ବରୁ ୨୨ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ମୋଟ ୨୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ଆହୁରି କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।

