ଢେଙ୍କାନାଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର ମୁହାଁମୁହିଁ ଧକ୍କା, ୩ ଗୁରୁତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ କପିଳାସ–ହରିପୁର ରାସ୍ତାରେ ରବିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କଟକରୁ ପାଲଲହଡ଼ା ଅଭିମୁଖେ ଯାଉଥିବା ‘ଖୁସି’ ନାମକ ଏକ ଯାତ୍ରୀବାହୀ ବସ୍ ସହ କପିଳାସରୁ ଟାଙ୍ଗି ରାସ୍ତା ଆଡ଼କୁ ଯାଉଥିବା ଏକ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ବସ୍ର ସାମ୍ନା ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଗଁଦିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ରାସ୍ତା ପାର ହେବା ବେଳେ କାର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି।

