‘ସରକାରୀ ଚାକିରି ପାଇଁ ୫୦ ଥର ଚେଷ୍ଟା କଲି, କିନ୍ତୁ ସଫଳ ହେଲିନି’; ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଲେ ବିଟେକ୍ ଗୋଲ୍ଡ ମେଡାଲିଷ୍ଟ
କାନପୁର: ଉତ୍ତର ପ୍ରଦେଶର କାନପୁରରେ ଜଣେ ୨୩ ବର୍ଷୀୟ ବିଟେକ୍ ଗୋଲ୍ଡ ମେଡାଲିଷ୍ଟ ଯୁବକ ଆତ୍ମହତ୍ୟା କରିଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକଙ୍କ ନାମ ହେଉଛି ଆନନ୍ଦ କୁମାର। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି | ଚିଠିରେ ତାଙ୍କ ବାପାଙ୍କୁ କ୍ଷମା ମାଗି ଲେଖିଛନ୍ତି , “ସରକାରୀ ଚାକିରି ପାଇଁ ପ୍ରାୟ ୫୦ ଥର ଚେଷ୍ଟା କଲି, କିନ୍ତୁ ସଫଳ ହୋଇପାରିଲି ନାହିଁ। ମୋତେ କ୍ଷମା କରିଦିଅ।” ଏହି ଘଟଣା ପରେ ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ଆନନ୍ଦ କୁମାର ୨୦୨୪ରେ କାନପୁରସ୍ଥିତ ପ୍ରଣବୀର ସିଂହ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (PSIT)ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍ ପାସ୍ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ଉତ୍ତର ପ୍ରଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ହାତରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ। ପରିବାର ଲୋକ ବିହାରରେ ବଡ଼ ପୁଅଙ୍କ ବିବାହ ପାଇଁ ଯାଇଥିବା ସମୟରେ ସେ ଘରେ ଏକା ଥିଲେ। ଘରର ସହାୟିକା ବାରମ୍ବାର କବାଟ ବାଡ଼େଇବା ସତ୍ତ୍ୱେ କୌଣସି ଉତ୍ତର ନମିଳିବାରୁ ପଡ଼ୋଶୀ ଓ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତାଙ୍କ ମୃତଦେହକୁ ଘର ଭିତରୁ ଉଦ୍ଧାର କରିଥିଲା।
ଏହି ଘଟଣାରେ ମୃତକଙ୍କ ବାପା ରାଜକୁମାର କହିଛନ୍ତି ଯେ, ଆନନ୍ଦ ସ୍ନାତକ ପରେ ପାୱାର ଗ୍ରିଡ୍ରେ ଏକ ବର୍ଷର ଆପ୍ରେଣ୍ଟିସ୍ସିପ୍ କରିଥିଲେ। ଏହାପରେ ସେ ରେଳବାଇ, ଷ୍ଟାଫ୍ ସିଲେକ୍ସନ କମିଶନ (SSC), ବ୍ୟାଙ୍କ ଓ ଶିକ୍ଷା ବିଭାଗର ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଯୋଗ ଦେଇଥିଲେ, କିନ୍ତୁ ସଫଳ ହୋଇପାରିନଥିଲେ। ବାରମ୍ବାର ପରୀକ୍ଷା ଦେଇ ବିଫଳ ହେଉଥିବାରୁ ସେ ମାନସିକ ଚାପରେ ରହୁଥିବା ପରିବାର ପକ୍ଷରୁ କୁହାଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।
କିନ୍ତୁ ଆନନ୍ଦଙ୍କ ମୃତ୍ୟୁ ଭାରତୀୟ ବ୍ୟବସ୍ଥା ଉପରେ ଉଠାଇଛି ବଡ ପ୍ରଶ୍ନବାଚୀ ? ସେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା, ମେଧାବୀ ଇଞ୍ଜିନିୟର, ଏବଂ ଶିକ୍ଷାରେ ସର୍ବୋତ୍କୃଷ୍ଟ ଥିଲେ, ତଥାପି କାହିଁକି ଆତ୍ମହତ୍ୟାର ପନ୍ଥା ବାଛିଲେ ? ଏହି ଘଟଣା ଚାକିରି ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଥିବା ଅନେକ ଯୁବକଙ୍କ ମାନସିକ ଚାପ, ଅନିଶ୍ଚିତତା ଓ ନିରାଶାକୁ ସାମ୍ନାକୁ ଆଣିଛି। ଏହି ଘଟଣା ଯୁବପିଢ଼ିଙ୍କ ମାନସିକ ସ୍ଥିତି , ନିଯୁକ୍ତି ପ୍ରକ୍ରିୟାର ଦୀର୍ଘ ବିଳମ୍ବ, ହାଇ କମ୍ପିଟିସନ ଏବଂ ଦେଶରେ ଚାକିରିର ସୁଯୋଗକୁ ନେଇ ବ୍ୟାପକ ପ୍ରଶ୍ନ ଛିଡ଼ା କରିଛି।

