Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ଉପରକୁ ବୋମା ଓ ଗୁଳିମାଡ଼, ପାଲଟା ଏନ୍‌କାଉଣ୍ଟରରେ କାଳିଆ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୋଦଳା-ସିଂହାସିନୀ ଜଙ୍ଗଲ ରାସ୍ତାରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଏନ୍‌କାଉଣ୍ଟରରେ ଏକାଧିକ ଲୁଟ୍ ଓ ଡକାୟତି ମାମଲାରେ ସଂପୃକ୍ତ କାଳିଆ ଓରଫ ଘନଶ୍ୟାମ ବେହେରା ପୋଲିସ ଗୁଳିରେ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ପୋଲିସ କାବୁ କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସହଯୋଗୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛି ପୋଲିସ ।

ପୋଲିସ ସୂଚନା ଅନୁଯାୟୀ, ନାଇତାଡ଼ା ସାହିର ବାସିନ୍ଦା କାଳିଆଙ୍କୁ ଗିରଫ କରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଅଭିଯାନ ଚଳାଇଥିଲା। ଏହି ସମୟରେ ବାଇକ୍‌ରେ ଯାଉଥିବା କାଳିଆ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ପିଛା କରିବାରୁ ସେମାନେ ହଠାତ୍ ପୋଲିସ ଟିମ୍‌ ଉପରକୁ ବୋମାମାଡ଼ କରିବା ସହ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। ଏଥିରେ କାଳିଆଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା, ଏଥିରେ ତାର ସହଯୋଗୀ ଘଟଣାସ୍ଥଳରୁ ଜଙ୍ଗଲ ଭିତରକୁ ଖସି ପଳାଇବାରେ ସଫଳ ହୋଇଥିଲେ।

ଆହତ କାଳିଆଙ୍କୁ ପ୍ରଥମେ କୋଦଳା କମ୍ୟୁନିଟି ହେଲ୍ଥ ସେଣ୍ଟର (CHC)ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୋଲିସ ବୋମା, ଅସ୍ତ୍ରଶସ୍ତ୍ର ଏବଂ ବ୍ୟବହୃତ ବାଇକ୍‌ ଜବତ କରିଥିବା ସୂଚନା ମିଳିଛି। ଗଞ୍ଜାମ ଏସ୍‌ପି କହିଛନ୍ତି, ଏହି ଏନ୍‌କାଉଣ୍ଟରରେ ଆଇଆଇସି କୁଳମଣି ସେଠୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଫେରାର ସହଯୋଗୀଙ୍କୁ ଧରିବା ସହ କାଳିଆ ବିରୋଧରେ ଥିବା ବିଭିନ୍ନ ଅପରାଧିକ ମାମଲାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ