ଦକ୍ଷିଣ ଓଡ଼ିଶାର ସୁପ୍ରସିଦ୍ଧ ପାରଳା ବାହୁଡା଼ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସାମଗମ
ପାରଳାଖେମୁଣ୍ଡି:୨୪/୭(ଗରୁଡ଼ ଧ୍ଵଜ ଚୌଧୁରୀ): ଦକ୍ଷିଣ ଓଡ଼ିଶାର ସୁପ୍ରସିଦ୍ଧ ପାରଳାଖେମୁଣ୍ଡି ବାହୁଡା଼ ଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସାମଗମ ହୋଇଥିବା ଲକ୍ଷ୍ୟ କରାଯାଇଛି. ଆଜି ଭୋର ସକାଳୁ ୩ ଠାକୁରଙ୍କୁ ଯଥା ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଥିଲା. ପରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କାର୍ଯ୍ୟକ୍ରମରେ ତିନି ରଥ ଉପରକୁ ନିଆ ଯାଇଥିଲା. ମଧ୍ୟାହ୍ନରେ ପାରଳା ରାଜଜେମା କଲ୍ୟାଣୀ ଗଜପତି ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥରେ, ଦ୍ଵିତୀୟରେ ମା ସୁଭଦ୍ରାଙ୍କ ଓ ପରିଶେଷରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରା ପହରା କାର୍ଯ୍ୟକ୍ରମ ସମାପନ କରିବା ସହ ସାଧାରଣଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ପୂଜା ପାଠ କରିଥିଲେ. ଅପରାହ୍ନରେ ତିନି ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ମା ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣି ଥିବାବେଳେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷ ଭକ୍ତମାନେ ଟାଣିଥିଲେ. ଆଜି ସନ୍ଧ୍ୟା ସୁଦ୍ଧା ତିନି ରଥ ପାରଳା ବଡ଼ଦାଣ୍ଡର ମାଉସୀ ମାଙ୍କ ମନ୍ଦିର ନିକଟରେ ଅବସ୍ଥାପିତ କରାଯାଇଛି. ଆସନ୍ତାକାଲି ବଡ଼ଦାଣ୍ଡରେ ତିନି ରଥ ଉପରେ ମାଉସୀ ମାଙ୍କ ମନ୍ଦିର ନିକଟରେ ତିନି ଠାକୁର ଏକାଦଶୀ ପାଳନ କରିବେ. ରବିବାର ଦିନ ତିନି ଠାକୁର ମାଉସୀ ମା ମନ୍ଦିର ନିକଟରେ ତିନି ରଥ ଉପରେ ପୂଜା ପାଇବା ସହ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ. ସୋମବାର ଦିନ ପୁଣି ରଥ ଟଣା ଯାଇ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚିବା ସ୍ଥିର ହୋଇଛି. ଗଜପତି ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ତରଫରୁ ସମସ୍ତ ଅଧିକାରୀଗଣ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ବାହୁଡା଼ଯାତ୍ରା ତଦାରଖ କରିଛନ୍ତି.

