ଚୋରି କରିବାକୁ ଦୋକାନରେ ପଶିଥିଲେ, ଫସିଗଲେ ଚୋର; ‘ସାର୍ ବଞ୍ଚାନ୍ତୁ’ କହି ପୁଲିସକୁ କଲେ କଲ୍!
ଗୁଜରାଟ: ଗୁଜରାଟର ଭାଲସାଦ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋରି କରିବାକୁ ଦୋକାନ ଭିତରେ ପଶିଥିବା ଦୁଇ ଚୋର ସେଠାରେ ଫସିଯାଇଥିଲେ। ବାହାରେ ଲୋକଙ୍କ ଭିଡ଼ ଜମିଯିବା ପରେ ମାଡ଼ ଖାଇବା ଭୟରେ ଦୁଇ ଚୋର ନିଜେ ପୁଲିସ ହେଲ୍ପଲାଇନ୍ ୧୧୨କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ। ଏହି ଘଟଣା ଉମରଗାମ ସବ୍-ଡିଭିଜନ୍ ଅଧୀନ ସଂଜନ ଗାଁର ବିଜେ ଜୁଏଲର୍ସରେ ଘଟିଛି।
ସୂଚନା ଅନୁସାରେ, ଗତ ବୁଧବାର ବିଳମ୍ବିତ ରାତିରେ ଦିନେଶ ସୋନକର ଓ ବିପିନ ପାଠକ ନାମକ ଦୁଇ ଜଣ ଚୋରି ଉଦ୍ଦେଶ୍ୟରେ ଗହଣା ଦୋକାନରେ ପଶିଥିଲେ। ସେମାନେ ଦୋକାନର ତାଲା ଭାଙ୍ଗୁଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ବାହାରୁ ଶଟର୍ ବନ୍ଦ କରିଦେଇଥିଲେ। ଏହାପରେ ଦୋକାନ ବାହାରେ ଲୋକଙ୍କ ଭିଡ଼ ଜମିଯାଇଥିଲା। ଭିତରେ ଫସିଥିବା ଦୁଇ ଚୋର ଭୟଭୀତ ହୋଇ ପୁଲିସକୁ ଫୋନ୍ କରି ‘ସାର୍, ଆମକୁ ବଞ୍ଚାନ୍ତୁ’ ବୋଲି ସାହାଯ୍ୟ ମାଗିଥିବା ଜଣାପଡ଼ିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଦୋକାନ ଭିତରୁ ଉଦ୍ଧାର କରିଥିଲା। ପରେ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ କିଛି ଗହଣା ଏବଂ ଚୋରିରେ ବ୍ୟବହୃତ ଯନ୍ତ୍ରପାତି ଜବତ ହୋଇଛି। ପୁଲିସ ଏବେ ଦୁଇ ଅଭିଯୁକ୍ତଙ୍କ ପୁରୁଣା ଅପରାଧିକ ରେକର୍ଡ ଯାଞ୍ଚ କରୁଛି। ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

