“ପରବର୍ତ୍ତୀ ଜନ୍ମରେ ଡାକ୍ତର ହେବି”: ୧୯ ବର୍ଷୀୟ NEET ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା,ପଢ଼ା ଓ ଭବିଷ୍ୟତକୁ ନେଇ ଚାପ ଥିବା ଆଶଙ୍କା
ମହାରାଷ୍ଟ୍ର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ NEET ପ୍ରସ୍ତୁତି କରୁଥିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ସୂରଜ ସୁଭାଷ ସିନ୍ଦେ। ସେ ବୈଜାପୁର ତାଲୁକାର ଖଣ୍ଡାଲା ଅଞ୍ଚଳରେ ନିଜ ଘରେ ରହି ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ସୂରଜ ପ୍ରତିଦିନ ଭଳି ଘରର ଉପର ମହଲାର ଏକ କୋଠରୀରେ ବସି NEET ପାଇଁ ପଢ଼ୁଥିଲେ। ପରେ ତାଙ୍କୁ ଘରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପ୍ରାଥମିକ ତଦନ୍ତରୁ ପଢ଼ା ଓ ଭବିଷ୍ୟତକୁ ନେଇ ସେ ଅତ୍ୟଧିକ ଚାପରେ ଥିବା ଆଶଙ୍କା କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ସୂରଜ ଡାକ୍ତର ହେବାର ସ୍ୱପ୍ନ ଦେଖୁଥିଲେ ଏବଂ ଏଥିପାଇଁ NEET ପରୀକ୍ଷା ପାଇଁ କଠିନ ପରିଶ୍ରମ କରୁଥିଲେ। ରିପୋର୍ଟ ଅନୁସାରେ, ସେ ନିଜ ପିତାମାତାଙ୍କୁ ଆଗାମୀ ଜନ୍ମରେ ନିଶ୍ଚିତ ଭାବେ ଡାକ୍ତର ହେବେ ବୋଲି କହିଥିଲେ। ଘଟଣା ପୁଣିଥରେ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ରହୁଥିବା ମାନସିକ ଚାପ ନେଇ ଚିନ୍ତା ବଢ଼ାଇଛି।

