ଭୁବନେଶ୍ୱର ୧ ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ! ସମ୍ପୂର୍ଣ୍ଣ ଜଳିଗଲା ୨ ଦୋକାନ
ଭୁବନେଶ୍ୱର: ଭୁବନେଶ୍ୱରର ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏକ ପୂଜା ସାମଗ୍ରୀ ଦୋକାନରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଆଉ କିଛି ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଭାବେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ନିଆଁରେ ପୋଡ଼ି ନଷ୍ଟ ହୋଇଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ ହାନି ଘଟିନଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡ ଯୋଗୁଁ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଆକଳନ ହୋଇନାହିଁ। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

