‘ବିଧାନସଭାରେ ଫିଲ୍ମ ଡାଏଲଗ୍ କୁହନ୍ତୁ ନାହିଁ’, ବିଜୟଙ୍କୁ ଉଦୟନିଧିଙ୍କ କଡ଼ା ଟାର୍ଗେଟ
ତାମିଲନାଡୁ: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ନେଇ ତୀବ୍ର ରାଜନୈତିକ ବିବାଦ ଦେଖାଦେଇଛି। ଡିଏମକେ ସରକାର ସମୟର ଦୁର୍ନୀତି ଫାଇଲ୍କୁ ନେଇ ବିଜୟ ଦେଇଥିବା ବୟାନର ଜବାବ ଦେଇ ଉଦୟନିଧି ଷ୍ଟାଲିନ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯଦି ଦୁର୍ନୀତି ସମ୍ପର୍କିତ ପ୍ରମାଣ ରହିଛି, ତେବେ ଫାଇଲ୍ ସାର୍ବଜନୀନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ବିଜୟଙ୍କୁ ଆହ୍ୱାନ ଦେଇଛନ୍ତି।
ଉଦୟନିଧି କହିଛନ୍ତି, ବିଜୟଙ୍କୁ ବିଧାନସଭାରେ ଫିଲ୍ମ ଭଳି ପଞ୍ଚ୍ ଡାଏଲଗ୍ କହିବା ଉଚିତ୍ ନୁହେଁ। ବିଜୟ ପୂର୍ବରୁ କହିଥିଲେ ଯେ, ଉପଯୁକ୍ତ ସମୟ ଆସିଲେ ଡିଏମକେ ସରକାର ସମୟର ଦୁର୍ନୀତି ସମ୍ପର୍କିତ ଫାଇଲ୍ ଖୋଲାଯିବ। ଏହାକୁ ନେଇ ଉଦୟନିଧି ବ୍ୟଙ୍ଗ କରି କହିଥିଲେ, ଫାଇଲ୍ ସାର୍ବଜନୀନ କରିବା ପାଇଁ ବିଜୟ କ’ଣ ଜ୍ୟୋତିଷଙ୍କ ଠାରୁ ଶୁଭ ମୁହୂର୍ତ୍ତ ଅପେକ୍ଷା କରୁଛନ୍ତି କି?
ଅନ୍ୟପଟେ ଉଦୟନିଧିଙ୍କ ଆକ୍ରମଣର ଜବାବରେ ବିଜୟଙ୍କ ସରକାର ପକ୍ଷରୁ ସ୍କୁଲ୍ ଶିକ୍ଷା ମନ୍ତ୍ରୀ ମୋର୍ଚ୍ଚା ସମ୍ଭାଳିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ବିଜୟ ସ୍ୱଚ୍ଛତା ପାଇଁ ପ୍ରତିବଦ୍ଧ ଏବଂ ଉପଯୁକ୍ତ ସମୟରେ ଦୁର୍ନୀତି ସମ୍ପର୍କିତ ସମସ୍ତ ଫାଇଲ୍ ଖୋଲାଯିବ। ଏହାକୁ ନେଇ ବିଧାନସଭାରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।

