ୟୁପି ନିର୍ବାଚନ ପୂର୍ବରୁ ନେତାଙ୍କ ସୁରକ୍ଷା ବଢ଼ିଲା, ମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ସୁରକ୍ଷାକୁ ନେଇ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ସମୀକ୍ଷା ଓ ଗୁଇନ୍ଦା ତଥ୍ୟ ଆଧାରରେ ରାଜ୍ୟର ୪୪ ଜଣ ପ୍ରମୁଖ ନେତାଙ୍କୁ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ଅଖିଳେଶ ଯାଦବଙ୍କ ସମେତ ବିଭିନ୍ନ ଦଳର ନେତା ଏବଂ ମନ୍ତ୍ରୀ ରହିଛନ୍ତି।
ସୂତ୍ର ଅନୁସାରେ, ସୁରକ୍ଷା ମୁଖ୍ୟାଳୟ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱତନ୍ତ୍ର ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ କିଣିବା ପ୍ରକ୍ରିୟା ଶେଷ କରିଛି। ଏଥିରେ ୧୧ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ସଞ୍ଜୟ ନିଷାଦ ଓ ନନ୍ଦ ଗୋପାଳ ଗୁପ୍ତା ‘ନନ୍ଦୀ’ଙ୍କ ଭଳି ମନ୍ତ୍ରୀଙ୍କୁ ମଧ୍ୟ ଏହି ଜ୍ୟାକେଟ୍ ଦିଆଯିବ। ଏହା ସହ ସଙ୍ଗୀତ ସୋମ ଓ ସୁରେଶ ରାଣାଙ୍କ ଭଳି ନେତାଙ୍କୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇଛି।
ନିର୍ବାଚନ ପୂର୍ବରୁ ନେତାମାନଙ୍କ ରାଲି, ସାଧାରଣ ସଭା ଓ ରୋଡ୍ ଶୋ’ରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ଏଭଳି କାର୍ଯ୍ୟକ୍ରମ ସମୟରେ ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ଯୋଗାଇବାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସରକାର କିମ୍ବା ସୁରକ୍ଷା ମୁଖ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି ହୋଇନାହିଁ।

