ପୁଅକୁ ବଞ୍ଚାଇବାକୁ ଯାଇ ପାହାଡ ତଳକୁ ଖସିପଡ଼ିଲେ ବାପା, ପରେ ମା’ ବି ଡେଇଁଲେ; ଚାଲିଗଲା ୩ ଜୀବନ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଖାଭଡ଼ା ପାହାଡ଼ରେ ଘଟିଛି ହୃଦୟବିଦାରକ ଘଟଣା। ଜଣେ ୧୮ ବର୍ଷୀୟ ଯୁବକ ପାହାଡ଼ ଧାରରେ ଠିଆ ହୋଇ ଜୀବନ ହାରିବାକୁ ଧମକ ଦେବା ପରେ ତାଙ୍କ ବାପା, ମା’ ଓ ଅନ୍ୟମାନେ ପ୍ରାୟ ୩ ଘଣ୍ଟା ଧରି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଶେଷରେ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ବାପାଙ୍କ ସହ ତାଙ୍କର ମୃତ୍ୟୁ ଘଟିଥିବା ବେଳେ, କିଛି ସମୟ ପରେ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଦେବଲାଇ ଅଞ୍ଚଳର ଏହି ଯୁବକ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ପାହାଡ଼ ଧାରକୁ ଯାଇଥିଲେ। ସେଠାରେ ସେ ଜୀବନ ହାରିବାକୁ ଧମକ ଦେବା ପରେ ମା’, ବାପା, ଗ୍ରାମବାସୀ ଓ ପୁଲିସ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଫେରିଆସିବାକୁ ବାରମ୍ବାର ବୁଝାଇଥିଲେ। ପ୍ରାୟ ୩ ଘଣ୍ଟା ପରେ ଦିନ ପ୍ରାୟ ୧ଟାରେ ବାପା ପୁଅଙ୍କୁ ଧରି ପଛକୁ ଆଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ଭାରସାମ୍ୟ ହରାଇବାରୁ ସେମାନେ ପାହାଡ଼ ତଳକୁ ଖସିପଡ଼ିଥିଲେ।
ଏହା ଦେଖି ଭୟଭୀତ ହୋଇ ମା’ ମଧ୍ୟ ପାହାଡ଼ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଯୁବକଙ୍କୁ ବୁଝାଇବାରେ ସଫଳ ହୋଇପାରିନଥିଲେ। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟକୁ କିଛି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଭିଡିଓ କରିଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

