Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁଝରରେ ନାବାଳିକା ଦୁଷ୍କର୍ମ ମାମଲା: POCSO Caseରେ ପୂଜକଙ୍କୁ ୨୦ ବର୍ଷ ଜେଲ୍‌, ୩.୩୦ ଲକ୍ଷ ଜରିମାନା

କେନ୍ଦୁଝରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ ମାମଲାରେ ଜଣେ ପୂଜକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ନନ୍ଦିପଦା ଥାନା ଅନ୍ତର୍ଗତ ତମ୍ପାଳ ଗ୍ରାମର ୨୬ ବର୍ଷୀୟ ମଦନ ମୋହନ ପାଣିଗ୍ରାହୀଙ୍କୁ ଦଣ୍ଡିତ କରିଛନ୍ତି। କୋର୍ଟ ତାଙ୍କ ଉପରେ ୩ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଜରିମାନା ଅନାଦାୟ କଲେ ତାଙ୍କୁ ଅତିରିକ୍ତ ୫ ବର୍ଷ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।

ମାମଲା ଅନୁସାରେ, କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ପ୍ରଥମେ ପ୍ରେମ ନିବେଦନ କରିଥିଲେ। ଏଥିରେ ବିଫଳ ହେବା ପରେ ବିବାହର ପ୍ରଲୋଭନ ଦେଖାଇବା ସହ ଆତ୍ମହତ୍ୟା କରିବାର ଧମକ ଦେଇଥିବା ଅଭିଯୋଗ ରହିଛି। ୨୦୧୭ ଫେବ୍ରୁଆରୀ ୧୪ରେ ନାବାଳିକାଙ୍କୁ ମାଧପୁରସ୍ଥିତ ଭଡ଼ାଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ଅଭିଯୁକ୍ତ ନାବାଳିକାଙ୍କ ଅଜାଣତରେ ଅଶ୍ଳୀଳ ଫଟୋ ଓ ଭିଡିଓ ରଖି ତାହାକୁ ଦେଖାଇ ବ୍ଲାକ୍‌ମେଲ୍‌ କରୁଥିବା ଏବଂ ଦୀର୍ଘ ସମୟ ଧରି ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ରହିଛି। ଭିଡିଓ ଓ ଫଟୋ ଭାଇରାଲ୍‌ କରିଦେବାର ଧମକ ଦେଇ ସେ ନାବାଳିକାଙ୍କଠାରୁ ଟଙ୍କା ମଧ୍ୟ ନେଉଥିବା କୁହାଯାଇଛି।

ପରେ ଅଭିଯୁକ୍ତ ବିବାହ କରିବାକୁ ମନା କରିଥିବା ଏବଂ କେନ୍ଦୁଝର ଛାଡ଼ି ଭୁବନେଶ୍ୱରର ଏକ ମନ୍ଦିରରେ ପୂଜକ ଭାବେ କାମ କରିବା ସମୟରେ ମଧ୍ୟ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ପରିବାରରୁ ଟଙ୍କା ଆଣି ଦେବା ପରେ ମଧ୍ୟ ଅଭିଯୁକ୍ତ କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିଥିବା ଅଭିଯୋଗ ରହିଛି। ଏହାପରେ ପୀଡ଼ିତା ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ତାଙ୍କ ଅଭିଯୋଗ ଆଧାରରେ କେନ୍ଦୁଝର ଟାଉନ ଥାନା ପୁଲିସ ୨୦୨୪ ଜାନୁଆରୀରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ମାମଲାର ଶୁଣାଣି ଚାଲିଥିବାବେଳେ ଏବେ ଫାଷ୍ଟଟ୍ରାକ୍‌ କୋର୍ଟ ତାଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୩.୩୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ