TVK Govt Welfare Cut: ୬ ବଦଳରେ ମିଳିବ ୩ LPG Cylinder, Parandur Airport ପ୍ରକଳ୍ପ ବାତିଲ; CM Vijayଙ୍କୁ DMKର ଟାର୍ଗେଟ୍
ତାମିଲନାଡୁ: ତାମିଲନାଡୁରେ ଟିଭିକେ ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ବିଜୟ ବର୍ଷକୁ ୬ଟି ମାଗଣା LPG ସିଲିଣ୍ଡର ଦେବା ପ୍ରତିଶ୍ରୁତିକୁ କମାଇ ୩ଟି କରିଛନ୍ତି। ଆସନ୍ତା ଜାନୁଆରୀରୁ ରାଜ୍ୟର ରାସନ୍ କାର୍ଡଧାରୀଙ୍କ ପାଇଁ ଏହି ସୁବିଧା ଲାଗୁ ହେବ ବୋଲି ବିଧାନସଭାରେ ଘୋଷଣା କରାଯାଇଛି। ସେହିପରି, ଚେନ୍ନାଇ ନିକଟରେ ପ୍ରସ୍ତାବିତ Parandur Airport Project ମଧ୍ୟ ନିର୍ମାଣ କରାଯିବ ନାହିଁ ବୋଲି ବିଜୟ ସ୍ପଷ୍ଟ କରିଛନ୍ତି।
ନିର୍ବାଚନ ପୂର୍ବରୁ ଟିଭିକେ ପକ୍ଷରୁ ପ୍ରତି ପରିବାରକୁ ବର୍ଷକୁ ୬ଟି ମାଗଣା LPG ସିଲିଣ୍ଡର ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଏହାକୁ ଅଧା କରି ୩ଟି ସିଲିଣ୍ଡର କରାଯିବା ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି। ଏହି ଘୋଷଣାକୁ ନେଇ ତାମିଲନାଡୁ ବିଧାନସଭାରେ ଶାସକ ଦଳ ଓ DMK ମଧ୍ୟରେ ତୀବ୍ର ତର୍କ ବିତର୍କ ହୋଇଥିବା ବେଳେ, ଗୃହରେ ହଟ୍ଟଗୋଳ ମଧ୍ୟ ଦେଖାଦେଇଥିଲା।
ଅନ୍ୟପକ୍ଷରେ, Parandur Airport ପ୍ରକଳ୍ପ ବାତିଲ ଘୋଷଣାକୁ ନେଇ ମଧ୍ୟ ରାଜନୈତିକ ତର୍କ ତୀବ୍ର ହୋଇଛି। ବିମାନବନ୍ଦର ପାଇଁ ପ୍ରସ୍ତାବିତ ଅଞ୍ଚଳରେ ଜମି ଅଧିଗ୍ରହଣ ଓ ସ୍ଥାନୀୟ ଲୋକଙ୍କ ଉପରେ ପ୍ରଭାବକୁ ନେଇ ଦୀର୍ଘଦିନ ଧରି ବିବାଦ ରହିଥିଲା। ବିଜୟ ସରକାରଙ୍କ ଦୁଇଟି ନିଷ୍ପତ୍ତିକୁ ନେଇ ଡିଏମ୍କେ ତୀବ୍ର ସମାଲୋଚନା କରିଛି। ତେବେ ଟିଭିକେ ସରକାର ଏହି ପରିବର୍ତ୍ତନକୁ ରାଜ୍ୟର ବର୍ତ୍ତମାନର ଆର୍ଥିକ ସ୍ଥିତି ଓ ଲୋକଙ୍କ ହିତକୁ ଧ୍ୟାନରେ ରଖି ନିଆଯାଇଥିବା ନିଷ୍ପତ୍ତି ବୋଲି ଦର୍ଶାଇଛି।

