Odisha Government: ୨,୨୪୮ କୋଟି ଫେରାଇବାକୁ ୨୧ଟି ବିଭାଗକୁ ଅର୍ଥ ବିଭାଗର ପତ୍ର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (CSS) ପାଇଁ ମିଳିଥିବା ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ କରିପାରିନଥିବାରୁ ଏବେ ତାହା ଫେରାଇବାକୁ ପଡ଼ିବ। ୨୦୨୫-୨୬ ଆର୍ଥିକବର୍ଷରେ ଖର୍ଚ୍ଚ ହୋଇନଥିବା ପ୍ରାୟ ୨,୨୪୮ କୋଟି ଟଙ୍କା ତୁରନ୍ତ ଫେରାଇବାକୁ ଅର୍ଥ ବିଭାଗ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଅଗଷ୍ଟ ୧୮ରେ ଅର୍ଥ ବିଭାଗର ଅନୁସଚିବ ସୁନୈନା ସିଂ ଏନେଇ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖିଛନ୍ତି।
ପତ୍ରରେ କୃଷି, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ, ଖାଦ୍ୟ ଯୋଗାଣ, ଜଙ୍ଗଲ ଓ ପରିବେଶ, ସ୍ୱାସ୍ଥ୍ୟ, ଉଚ୍ଚଶିକ୍ଷା, ଗୃହ ଓ ନଗର ଉନ୍ନୟନ, ମିଶନ ଶକ୍ତି, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ, ଏସ୍ଏସ୍ଇପିଡି, ଏସ୍ସିଏସ୍ଟି, ଜଳସମ୍ପଦ, ମହିଳା ଓ ଶିଶୁ କଲ୍ୟାଣ ଏବଂ ପୂର୍ତ୍ତ ଭଳି ବିଭାଗର Single Nodal Agency (SNA) ଆକାଉଣ୍ଟରେ ଥିବା ବଳକା ଅର୍ଥ ଫେରାଇବାକୁ କୁହାଯାଇଛି। କେନ୍ଦ୍ରୀୟ ଯୋଜନାର ଅର୍ଥ ବ୍ୟବହାର ନହେବାକୁ ନେଇ ଅର୍ଥ ବିଭାଗ ଏହି ପଦକ୍ଷେପ ନେଇଛି।
ସୂଚନାଯୋଗ୍ୟ, ୨୦୨୬-୨୭ ଆର୍ଥିକବର୍ଷରେ ବିଭିନ୍ନ Central Sponsored Schemes ଅଧୀନରେ କେନ୍ଦ୍ରରୁ ଅଧିକ ଅର୍ଥ ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଜୁଲାଇ ୨୧ରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ବିଭାଗୀୟ ସଚିବମାନଙ୍କୁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ ସହ ନିୟମିତ ସମନ୍ୱୟ ରଖି କେନ୍ଦ୍ରୀୟ ଅଂଶର ସର୍ବାଧିକ ଅର୍ଥ ଆଣିବାକୁ କହିଥିଲେ। ୨୦୨୬-୨୭ ବଜେଟରେ ଧାର୍ଯ୍ୟ ୪୦,୦୪୦ କୋଟି ଟଙ୍କା ମଧ୍ୟରୁ ଅତି କମ୍ରେ ୨୫,୦୦୦ କୋଟି ଟଙ୍କା କେନ୍ଦ୍ରୀୟ ଅଂଶ ଭାବେ ଆଣିବା ଲକ୍ଷ୍ୟ ରହିଥିବାରୁ, ବଳକା ଅର୍ଥ ଫେରସ୍ତ ଘଟଣା ଏବେ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି

