Karnatakaରେ ଭିକ୍ଷା ମାଗି ବିତିଲା ଜୀବନ, ମୃତ୍ୟୁ ପରେ ଘରୁ ମିଳିଲା ୩୦ ବସ୍ତା ଟଙ୍କା
କର୍ଣ୍ଣାଟକ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ବର୍ଷ ଧରି ଭିକ୍ଷାବୃତ୍ତି କରି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ୩୦ରୁ ଅଧିକ ପ୍ଲାଷ୍ଟିକ୍ ବସ୍ତାରେ ଭର୍ତ୍ତି ଟଙ୍କା ମିଳିଛି। ଘଟଣାଟି ମାଣ୍ଡ୍ୟା ଜିଲ୍ଲାର ଗୁଥାଲୁ ଅଞ୍ଚଳର। ମୃତ ବୃଦ୍ଧାଙ୍କ ନାମ ହୁର ଉନ୍ନିସା ବୋଲି ଜଣାପଡ଼ିଛି।
ହୁର ଉନ୍ନିସା ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ଭିକ୍ଷା ମାଗି ନିଜର ଗୁଜରାଣ ମେଣ୍ଟାଉଥିଲେ। ସେ ନିଜ ଭଉଣୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ପ୍ରାୟ ଦୁଇ ବର୍ଷ ପୂର୍ବେ ଭଉଣୀଙ୍କ ମୃତ୍ୟୁ ପରେ ସେ ଏକାକୀ ରହୁଥିଲେ। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ଶେଷ କରି ଘର ସଫା କରାଯାଉଥିବା ବେଳେ ଏହି ଟଙ୍କା ମିଳିଥିଲା। ବସ୍ତାଗୁଡ଼ିକ ଖୋଲିବା ପରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ୍ ସହ ବହୁ ପରିମାଣର କଏନ୍ ବାହାରିଥିଲା।
ସ୍ଥାନୀୟ ଲୋକଙ୍କ ସହାୟତାରେ ଘଣ୍ଟା ଘଣ୍ଟା ଧରି ଟଙ୍କା ଗଣାଯିବା ପରେ ପ୍ରାୟ ୮ରୁ ୯ ଲକ୍ଷ ଟଙ୍କା ଗଣତି ହୋଇସାରିଛି। ତେବେ ଆହୁରି ୨୦ରୁ ଅଧିକ ବସ୍ତାରେ ଟଙ୍କା ରହିଥିବାରୁ ଗଣତି ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଉଦ୍ଧାର ହୋଇଥିବା ଟଙ୍କାକୁ ସ୍ଥାନୀୟ ମସଜିଦ୍ କମିଟିର ହେପାଜତରେ ରଖାଯାଇଛି। ହୁର ଉନ୍ନିସାଙ୍କ ସମ୍ପର୍କୀୟମାନେ ପହଞ୍ଚିବା ପରେ ଅବଶିଷ୍ଟ ଟଙ୍କାର ଗଣତି ଶେଷ କରାଯିବ ଏବଂ ଅର୍ଥ କାହାକୁ ଦିଆଯିବ, ସେନେଇ ନିଷ୍ପତ୍ତି ନିଆଯିବ।

