District Officeରେ Security ନାହିଁ! ଛୁଟି ଦିନରେ ଅନୈତିକ କାର୍ଯ୍ୟ, Video ହେଲା Viral
ଭୁବନେଶ୍ୱର: ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଛୁଟି ଦିନରେ କାର୍ଯ୍ୟାଳୟ ପରିସର ମୁକୁଳା ପଡ଼ୁଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଥିବା ଅଭିଯୋଗ ହୋଇଛି। ଏହାରି ମଧ୍ୟରେ ଚତୁର୍ଥ ଶନିବାର ଛୁଟିଦିନରେ ଜଣେ ପୁରୁଷ ଓ ମହିଳା କାର୍ଯ୍ୟାଳୟ ପରିସରରେ ଆପତ୍ତିଜନକ ଆଚରଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି।
ସୂଚନା ଅନୁଯାୟୀ, ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ବରଗଛ ମୂଳରେ ଜଣେ ପ୍ରାପ୍ତବୟସ୍କ ପୁରୁଷ ଓ ମହିଳାଙ୍କ ରୋମାନ୍ସର ଭିଡିଓ ରେକର୍ଡ ହୋଇଛି। ଛୁଟି ଦିନରେ ପରିସରରେ ସୁରକ୍ଷାକର୍ମୀ କିମ୍ବା ପୁଲିସ୍ର ନଜର ନଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପାଖରେ ପଡ଼ିଥିବା ମଦ ବୋତଲ ଏବଂ ବରଗଛ ମୂଳରେ ଥିବା ଗ୍ୟାରେଜ୍ରେ ମଦ ବୋତଲ ମିଳୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ଅନ୍ୟପକ୍ଷରେ, କାର୍ଯ୍ୟାଳୟ ପରିସରରେ ଜଣେ ମହିଳା ଦୁଇ ସପ୍ତାହରୁ ଅଧିକ ସମୟ ଧରି ରହୁଥିବା ନେଇ ମଧ୍ୟ ସୂଚନା ମିଳିଛି। ବରଗଛ ମୂଳରେ ଥିବା ଗ୍ୟାରେଜ୍ରେ ସେ ଲୁଗାପଟା ଶୁଖାଉଥିବା ସହ ଅଧିକାଂଶ ସମୟ ସେଠାରେ ରହୁଥିବା କୁହାଯାଇଛି। ଜିଲ୍ଲା କାର୍ଯ୍ୟାଳୟ ଭଳି ସରକାରୀ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ନିୟମିତ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

