Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ସଫଳତା ପାଇଁ ପୁରାତନ ଛାତ୍ରୀ ସ୍ୱାଗତିକା ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି:୨୪/୮(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡିସ୍ଥିତ ପୀଏମ୍ ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଗର୍ବିତ ପୁରାତନ ଛାତ୍ରୀ ଶ୍ରୀମତୀ ସ୍ୱାଗତିକା ପାଣିଗ୍ରାହୀଙ୍କୁ ତାଙ୍କର ଆନ୍ତର୍ଜାତୀୟ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଶ୍ରୀମତୀ ପାଣିଗ୍ରାହୀ ୨୦୦୪ ମସିହାରେ ଏହି ବିଦ୍ୟାଳୟରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ। ଶିକ୍ଷାଜୀବନରୁ ହିଁ ମେଧା ଓ ପ୍ରତିଭାର ପରିଚୟ ଦେଇଥିବା ସ୍ୱାଗତିକା ନିଜର ଅଦମ୍ୟ ପରିଶ୍ରମ, ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ବଳରେ ଶିକ୍ଷା ଓ ବୃତ୍ତିଗତ କ୍ଷେତ୍ରରେ ସଫଳତାର ନୂଆ ଶିଖର ଛୁଇଁଛନ୍ତି। ସେ ଆଇଆଇଟି ରୁଡ଼କିରୁ ଏମ୍.ଟେକ୍ ଡିଗ୍ରୀ ହାସଲ କରିବା ପରେ ବର୍ତ୍ତମାନ ବେଙ୍ଗାଲୁରୁରେ ଆସୋସିଏଟ୍ ଟେକ୍ନିକାଲ୍ ପ୍ରୋଜେକ୍ଟ ମ୍ୟାନେଜର ଭାବେ ଏକ ପ୍ରମୁଖ ଅଟୋମୋଟିଭ୍ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।
ତାଙ୍କର ସଫଳତାର ମୁକୁଟରେ ଆଉ ଏକ ଗୌରବମୟ ପରିଚୟ ଯୋଡ଼ିଛି ୨୦୨୬ ମସିହାର ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା। ଥାଇଲାଣ୍ଡରେ ମୁମ୍ବାଇ ଗ୍ଲୋବାଲ୍ ପକ୍ଷରୁ ଆୟୋଜିତ ୩୧ତମ ମିସ୍, ମିଷ୍ଟର ଆଣ୍ଡ ମିସେସ୍ ଏସିଆ ୱାର୍ଲ୍ଡ ୨୦୨୬ରେ ସେ ମିସେସ୍ ଏସିଆ ୱାର୍ଲ୍ଡ ଗୋଲ୍ଡ ୨୦୨୬ ଟାଇଟଲ୍ ହାସଲ କରିଛନ୍ତି। ଏହି ସଫଳତା ମାଧ୍ୟମରେ ସେ ଗଜପତି ଜିଲ୍ଲା ସମେତ ସମଗ୍ର ଓଡ଼ିଶା ଓ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଛନ୍ତି।ଏହା ପୂର୍ବରୁ ୨୦୨୫ ମସିହାରେ ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ମିସେସ୍ ଇଣ୍ଡିଆ ଇଣ୍ଟର ନ୍ୟାସନାଲ୍ ପ୍ରତିଯୋଗିତାରେ ସେ ଇଣ୍ଟରନ୍ୟାସନାଲ ଗୁଡ୍‌ୱିଲ୍ ଆମ୍ବାସାଡର ଉପାଧି ହାସଲ କରିଥିଲେ।ଏହି ଗୌରବମୟ ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ କିରଣ ସାଲାଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ୱାଗତିକାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସ୍ୱାଗତିକାଙ୍କ ଏହି ଅସାଧାରଣ ସଫଳତାରେ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମଗ୍ର ବିଦ୍ୟାଳୟ ପରିବାର ଗର୍ବିତ ଓ ଆନନ୍ଦିତ। ତାଙ୍କର ସଫଳତା ବିଦ୍ୟାଳୟର ବର୍ତ୍ତମାନର ଛାତ୍ରୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି। ଦୃଢ଼ ଇଚ୍ଛାଶକ୍ତି, ଶିକ୍ଷା, ପରିଶ୍ରମ ଓ ଆତ୍ମବିଶ୍ୱାସ ଦ୍ୱାରା ଜୀବନରେ ଯେ କୌଣସି ଲକ୍ଷ୍ୟ ହାସଲ କରାଯାଇପାର ସ୍ୱାଗତିକାଙ୍କ ସଫଳତା ଏହାର ଏକ ଉଜ୍ଜ୍ୱଳ ଉଦାହରଣ।ବିଦ୍ୟାଳୟ ପରିବାର ପକ୍ଷରୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଦିନରେ ଆହୁରି ଅଧିକ ସଫଳତା କାମନା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories