Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସଦାଚରଣ କରି ଲହୁଲୁହାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ।

ପାରଳାଖେମୁଣ୍ଡି:୨୪/୮(ଗରୁଡ଼ ଧ୍ଵଜ ଚୌଧୁରୀ)
ଦିନକୁ ଦିନ ସମାଜରେ ମହିଳାଙ୍କ ପ୍ରତି ବିଭିନ୍ନ ପ୍ରକାରର ଅତ୍ୟାଚାର ଦେଖିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଏକ ଆଶ୍ୱସ୍ତିକର ଖବର ଗଜପତି ଜିଲ୍ଲା ନ୍ୟାୟାଳୟରୁ ଆସିଛି; ଯେଉଁଥିରେ ମାନ୍ୟବର ଗଜପତି ଜିଲ୍ଲା ଓ ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫(୨)(ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ତଥା ଧାରା ୩୩୨(ଗ) ଅପରାଧରେ କାଶୀନଗର ଥାନା ଅନ୍ତର୍ଗତ କିଡିଗାଁର ପଣସ ଧର୍ମା ରାଓ (୩୭ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ଏହି ମାମଲାରେ ଯଥାର୍ଥ ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଏହି କି ଯେ କାଶୀନଗର ଥାନା ଅନ୍ତର୍ଗତ କିଡିଗାଁ ଗ୍ରାମର ଏତଲାକାରିଣୀ ହାଡ଼ପା କୁମାରୀ (୩୫ବର୍ଷ) ତା ୦୫-୦୮-୨୦୨୪ରିଖ ଦିନ ସନ୍ଧ୍ୟା ୪ଟା୩୦ମିନିଟ ସମୟରେ ଘରେ ଏକା ଥିବା ସମୟରେ ଅଭିଯୁକ୍ତଜଣଙ୍କ ତାଙ୍କ ଘର ଭିତରକୁ ପଶି ତାଙ୍କ ହାତ ଜବରଦସ୍ତି ଟାଣି ଉଲ୍ଲଗ୍ନ କରିବାକୁ ଉଦ୍ୟତ ହେଉଥିବା ସମୟରେ ଏତଲାକାରିଣୀ ତା’ର ବିରୋଧ କରିବାରୁ ଅଭିଯୁକ୍ତଜଣକ ତାଙ୍କ ହାତକୁ ମାରି ରକ୍ତାକ୍ତ କରିବା ସହ ଜୀବନରେ ମାରିଦେବାକୁ ତାଙ୍କ ବେକ ଚିପି ଦେଇଥିଲେ। ପରେ ନିଜକୁ ବଞ୍ଚାଇବା ନିମନ୍ତେ ଏତଲାକାରିଣୀ ପାଟି କରିବାରୁ ତାଙ୍କ ଶାଶୁ ସେଠାକୁ ଦୌଡ଼ି ଆସିଥିଲେ। କିନ୍ତୁ ଅଭିଯୁକ୍ତଜଣଙ୍କ ତାଙ୍କୁ ମଧ୍ୟ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲା। ପରେ ଅଭିଯୁକ୍ତ ଏତଲାକାରିଣୀଙ୍କୁ ଜୀବନରେ ମାରିବାକୁ ଧମକ ଦେଇ ସେ ସ୍ଥାନ ଛାଡି ଚାଲିଯାଇଥିଲେ। ଶେଷରେ ନିଜ ଜୀବନ ପ୍ରତି ବିପଦର ଆଶଙ୍କା କରି ବାଧ୍ୟ ହୋଇ ଏହି ଘଟଣାକୁ ନେଇ ଏତଲାକାରିଣୀ ସେହିଦିନ ହିଁ କାଶୀନଗର ଥାନାରେ ମାମଲା ନମ୍ବର ୧୧୪/୨୦୨୪ରେ ଏକ ମାମଲା ରୁଜୁ କରିଥିଲେ ଏବଂ ତତ୍କାଳୀନ ଏ.ଏସ.ଆଇ. ମନୋଜ କୁମାର ପାଢ଼ୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଶେଷରେ ଏତଲାକାରିଣୀଙ୍କ ପକ୍ଷରୁ ୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ୬ଟି ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫(୨)(ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ତଥା ଧାରା ୩୩୨(ଗ) ଅପରାଧରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ସହ ପ୍ରବେସନ ଅଫ ଅଫଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ଅଭିଯୁକ୍ତ ଥରକୁ ଥର ଏତଲାକାରିଣୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ତାଙ୍କ ପଛରେ ପଡି ତାଙ୍କ ଇଚ୍ଛା ବିରୁଦ୍ଧରେ ଖରାପ ଇଙ୍ଗିତ କରୁଥିଲେ ତଥା ଏତଲାକାରିଣୀ ପ୍ରତିବାଦ କଲେ ତାଙ୍କୁ ମାରିବାକୁ ଗୋଡାଉଥିଲେ। ଏହିଭଳି ଥରକୁ ଥର ଘଟଣା ଘଟିଥିବାରୁ ବର୍ତ୍ତମାନ ଘଟଣାର ଗମ୍ଭୀରତାକୁ ନଜରରେ ରଖି ଅଭିଯୁକ୍ତଙ୍କୁ ଭବିଷ୍ୟତରେ ମହିଳାଙ୍କ ବିରୁଦ୍ଧରେ ଏଭଳି ଧର୍ତ୍ତବ୍ୟ ଅପରାଧ ନ କରି ସମାଜରେ ଉତ୍ତମ ନାଗରିକ ହୋଇ ରହିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିକଟରେ ପାରଳାଖେମୁଣ୍ଡି-କାଶୀନଗର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏ.ଏସ.ଆଇ. ମନୋଜ କୁମାର ପାଢୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories