India-China Border Talks: ଚୀନ୍ରେ ଆଜି ବଡ଼ ବୈଠକ, ସୀମା ବିବାଦ ନେଇ ଅଜିତ୍ ଡୋଭାଲ୍-ୱାଙ୍ଗ୍ ୟିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦର ସମାଧାନ ନେଇ ଆଜି ଚୀନ୍ର ରାଜଧାନୀ ବେଜିଂରେ ହେବ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ଆଲୋଚନା। ଦୁଇ ଦେଶ ମଧ୍ୟରେ ‘ବିଶେଷ ପ୍ରତିନିଧି’ ସ୍ତରୀୟ ୨୫ତମ ପର୍ଯ୍ୟାୟ ବୈଠକରେ ଭାରତ ପକ୍ଷରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଓ ଚୀନ୍ ପକ୍ଷରୁ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଆଲୋଚନା କରିବେ। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଦୁଇ ଦେଶର ସମ୍ପର୍କ ସୁଧାରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ।
୨୦୨୦ର ଗଲୱାନ୍ ଘାଟି ଘଟଣା ପରେ ଭାରତ-ଚୀନ୍ ସମ୍ପର୍କରେ ତିକ୍ତତା ବଢ଼ିଥିଲା। ତେବେ ଗତ କିଛି ସମୟ ଧରି କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ମାଧ୍ୟମରେ ସ୍ଥିତିରେ ଧୀରେଧୀରେ ସୁଧାର ଆଣିବାକୁ ଉଦ୍ୟମ ଜାରି ରହିଛି। ଏହାପୂର୍ବରୁ ୨୦୨୫ ଅଗଷ୍ଟରେ ନୂଆଦିଲ୍ଲୀରେ ୨୪ତମ ପର୍ଯ୍ୟାୟ ବିଶେଷ ପ୍ରତିନିଧି ଆଲୋଚନା ହୋଇଥିଲା। ବର୍ତ୍ତମାନର ବୈଠକରେ LACରେ ଶାନ୍ତି ବଜାୟ ରଖିବା ସହ ଦୀର୍ଘଦିନର ସୀମା ସମସ୍ୟାର ସମାଧାନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି।
ଭାରତ-ଚୀନ୍ ସୀମା ବିବାଦରେ ଅରୁଣାଚଳ ପ୍ରଦେଶ ଏକ ପ୍ରମୁଖ ପ୍ରସଙ୍ଗ। ଚୀନ୍ ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ଜାହିର କରୁଥିବା ବେଳେ ଭାରତ ଏହାକୁ ଦୃଢ଼ ଭାବରେ ଖଣ୍ଡନ କରିଆସିଛି। ଭାରତର ଆଭିମୁଖ୍ୟ ହେଉଛି, ସୀମାରେ ଶାନ୍ତି ଓ ସ୍ଥିରତା ନ ଫେରିଲେ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ ହୋଇପାରିବ ନାହିଁ। ତେଣୁ ଅଜିତ୍ ଡୋଭାଲ୍ ଓ ୱାଙ୍ଗ୍ ୟିଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନାକୁ ଉଭୟ ଦେଶର ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।

