Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Karnataka MLA Daughter: ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ବିଧାୟକଙ୍କ ଝିଅ! ବିତିଗଲାଣି ୧୪ ଦିନ, କାର୍ଯ୍ୟାନୁଷ୍ଠାନ ଶୂନ

କର୍ଣ୍ଣାଟକ: କର୍ଣ୍ଣାଟକର ଶ୍ରୀରଙ୍ଗପାଟନାର ଏକ ମନ୍ଦିରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ବିଧାୟକଙ୍କ ଝିଅ ଚାପୁଡ଼ା ମାରିଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାର ପ୍ରାୟ ୧୪ ଦିନ ପରେ ଏହାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି। ଅଗଷ୍ଟ ୧୨ ତାରିଖ ରାତି ପ୍ରାୟ ୮ଟା ୧୫ ମିନିଟ୍‌ ସମୟରେ ଭୀମ ଅମାବାସ୍ୟା ଅବସରରେ ଆରତୀ ଉକ୍କାଡା ମନ୍ଦିରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଟୁମକୁର ଗ୍ରାମାଞ୍ଚଳ ବିଧାୟକ ବି. ସୁରେଶ ଗୌଡ଼ାଙ୍କ ଝିଅ ଐଶ୍ୱର୍ଯ୍ୟା ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ସେ ଗର୍ଭଗୃହ ଭିତରକୁ ଯିବାକୁ ଚାହୁଁଥିବା ବେଳେ ମନ୍ଦିରରେ ପ୍ରବଳ ଭିଡ଼ ଥିବାରୁ ପୁଲିସ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଐଶ୍ୱର୍ଯ୍ୟା ଡ୍ୟୁଟିରେ ଥିବା ମାଣ୍ଡ୍ୟା ମହିଳା ପୁଲିସ ଥାନାର ଉପନିରୀକ୍ଷକ ସବିତା ପାଟିଲଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ପରେ ସବିତା ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ଚାପୁଡ଼ା ମାରିଥିବା ଦୃଶ୍ୟ ସିସିଟିଭିରେ ଦେଖାଯାଉଛି। ଘଟଣା ସମୟରେ ଉପସ୍ଥିତ ଲୋକମାନେ ଉଭୟଙ୍କୁ ଅଟକାଇବାକୁ ହସ୍ତକ୍ଷେପ କରିଥିଲେ।

ଘଟଣା ପରେ ବିଧାୟକ ସୁରେଶ ଗୌଡ଼ା କ୍ଷମା ପ୍ରାର୍ଥନା କରିଥିବା ବେଳେ ତାଙ୍କ ଝିଅଙ୍କ ସହ ମହିଳା ପୁଲିସ ଅଧିକାରୀ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଉପନିରୀକ୍ଷକ ସବିତା ପାଟିଲ ଐଶ୍ୱର୍ଯ୍ୟାଙ୍କ ବିରୋଧରେ ଅଭିଯୋଗ କରି ତାଙ୍କୁ ଚାପୁଡ଼ା ମାରିବା, ଦୁର୍ବ୍ୟବହାର କରିବା ଏବଂ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିଥିବା ଦର୍ଶାଇଛନ୍ତି। ମାଣ୍ଡ୍ୟା ପୁଲିସ ଅଧୀକ୍ଷକ ମଲ୍ଲିକାର୍ଜୁନ ବାଲାଦାଣ୍ଡିଙ୍କ ସୂଚନା ଅନୁସାରେ, ଐଶ୍ୱର୍ଯ୍ୟାଙ୍କ ପକ୍ଷରୁ ମଧ୍ୟ ପୁଲିସ ଅଧିକାରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଦାଖଲ ହୋଇଛି। ତେବେ ଘଟଣାକୁ ୧୪ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ