Odisha Teacher strike: ଧାରଣାରୁ ହଟିଲେ ଆଶାୟୀ ଶିକ୍ଷକ, ସରକାରଙ୍କ ଆଶ୍ୱାସନ ପରେ ପ୍ରତ୍ୟାହୃତ ହେଲା ଆନ୍ଦୋଳନ
ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍ଜିରେ ଚାଲିଥିବା ଅଲ୍ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୬ ଦଫା ଦାବି ନେଇ ଆଶାୟୀ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିଥିବା ବେଳେ ଆଜି ସରକାରଙ୍କ ସହ ଆଲୋଚନା ପରେ ଧାରଣାରୁ ଉଠିଛନ୍ତି। ଆଲୋଚନା ସଫଳ ହୋଇଥିବା ଦାବି କରି ସାମୂହିକ ଭାବେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଆଶାୟୀମାନେ।
ସୂଚନା ଅନୁସାରେ, ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଧାରଣା ଦିଆଯାଉଥିଲା। ଏନେଇ ସରକାରଙ୍କ ସହ ଆଲୋଚନା ହେବା ପରେ ଦାବିଗୁଡ଼ିକ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଶ୍ୱାସନା ମିଳିଥିବା ଆଶାୟୀମାନେ କହିଛନ୍ତି। ଆସନ୍ତା ୪ ମାସ ମଧ୍ୟରେ ସେମାନଙ୍କ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ଦାବି କରାଯାଇଛି।
ସରକାରଙ୍କ ଆଶ୍ୱାସନା ପରେ ଆଶାୟୀ ଶିକ୍ଷକମାନେ ଏବେ ଧାରଣାରୁ ଓହରିଛନ୍ତି। ତେବେ ନିର୍ଦ୍ଧାରିତ ୪ ମାସ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଆଶାୟୀ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଏବେ ସରକାର ଦେଇଥିବା ଆଶ୍ୱାସନା କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଉପରେ ଆଶାୟୀମାନଙ୍କ ନଜର ରହିଛି।

