Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Workers’ Rules: ଶ୍ରମିକଙ୍କୁ ନିଯୁକ୍ତିପତ୍ର ଓ ପ୍ରତିବର୍ଷ ମାଗଣା Health Check-up ବାଧ୍ୟତାମୂଳକ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ସରକାର ଶ୍ରମିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଉନ୍ନତ କାର୍ଯ୍ୟ ପରିବେଶକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି। ‘ଉତ୍ତର ପ୍ରଦେଶ ଉପଜୀବିକାଜନିତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟଦଶା ନିୟମାବଳୀ-୨୦୨୬’କୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି ନୂଆ ନିୟମରେ ଶ୍ରମିକଙ୍କ ଅଧିକାର ଓ ସୁରକ୍ଷାକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ନୂଆ ବ୍ୟବସ୍ଥା ଅନୁସାରେ, ୧୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ଥିବା କାରଖାନା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଶ୍ରମିକଙ୍କୁ ଲିଖିତ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ ହେବ। ତେବେ ଘରୋଇ ଓ କୃଷି କ୍ଷେତ୍ରର ଶ୍ରମିକମାନେ ଏହି ବ୍ୟବସ୍ଥାରୁ ବର୍ତ୍ତମାନ ବାଦ ପଡ଼ିଛନ୍ତି।

ଶ୍ରମିକଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ନିୟମରେ ବଡ଼ ବ୍ୟବସ୍ଥା ହୋଇଛି। ପ୍ରତିବର୍ଷ ନିଯୁକ୍ତିଦାତାଙ୍କ ଖର୍ଚ୍ଚରେ ଶ୍ରମିକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏଥିସହ କାର୍ଯ୍ୟସ୍ଥଳରେ ସୁରକ୍ଷା ଉପକରଣ, ପାନୀୟ ଜଳ, ଶୌଚାଳୟ, ବିଶ୍ରାମ ଗୃହ, କ୍ୟାଣ୍ଟିନ୍ ଓ ପ୍ରାଥମିକ ଚିକିତ୍ସା ଭଳି ମୌଳିକ ସୁବିଧା ଯୋଗାଇବା ନିଯୁକ୍ତିଦାତାଙ୍କ ଦାୟିତ୍ୱ ରହିବ।

ମହିଳା ଶ୍ରମିକଙ୍କ ପାଇଁ ମଧ୍ୟ ନୂଆ ନିୟମରେ ବିଶେଷ ବ୍ୟବସ୍ଥା ରହିଛି। ମହିଳାମାନେ ନିଜ ସହମତିରେ ବିଭିନ୍ନ ପ୍ରତିଷ୍ଠାନରେ କାମ କରିପାରିବେ। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ସେମାନଙ୍କୁ ନାଇଟ୍ ସିଫ୍ଟରେ କାମ କରିବାର ମଧ୍ୟ ଅନୁମତି ମିଳିବ। ତେବେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିଯୁକ୍ତିଦାତାଙ୍କ ଦାୟିତ୍ୱ ରହିବ।

ଠିକା ଶ୍ରମିକଙ୍କୁ ନେଇ ମଧ୍ୟ ନିୟମରେ କଡ଼ା ବ୍ୟବସ୍ଥା କରାଯାଇଛି। ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟକଳାପରେ ସଂବିଦା ଶ୍ରମିକଙ୍କ ନିୟୋଜନ ଉପରେ ରୋକ ଲଗାଇବାର ପ୍ରାବଧାନ ରହିଛି। ବ୍ୟବସାୟିକ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏକକ ପଞ୍ଜୀକରଣ ଓ Common Licence ବ୍ୟବସ୍ଥା ମଧ୍ୟ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଶ୍ରମିକଙ୍କ ଅଧିକାର, ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥଳର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ