Haiti Attack: ରକ୍ତର ହୋଲି, ୪୭ ଜଣଙ୍କୁ ହତ୍ୟା; ୫୦ରୁ ଅଧିକ ଅପହୃତ
ପୋର୍ଟ-ଓ-ପ୍ରିନ୍ସ: କାରିବିଆନ୍ ଦେଶ ହାଇତିରେ ଗ୍ୟାଙ୍ଗ୍ ହିଂସା ଭୟଙ୍କର ରୂପ ନେଇଛି। ରାଜଧାନୀ ପୋର୍ଟ-ଓ-ପ୍ରିନ୍ସ ନିକଟସ୍ଥ କେନସ୍କୋଫ୍ ଅଞ୍ଚଳରେ ସଶସ୍ତ୍ର ଗୋଷ୍ଠୀର ଆକ୍ରମଣରେ ଅତି କମରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକଙ୍କୁ ଅପହରଣ କରାଯାଇଥିବା ଜାତିସଂଘ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅତି କମରେ ୫ ଜଣ ଶିଶୁ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରବିବାର ରାତିରେ ଏହି ଆକ୍ରମଣ ଆରମ୍ଭ ହୋଇ ସୋମବାର ପର୍ଯ୍ୟନ୍ତ ଚାଲିଥିଲା। ଏକ ଚର୍ଚ୍ଚରେ ଆଶ୍ରୟ ନେଇଥିବା ବିସ୍ଥାପିତ ଲୋକଙ୍କୁ ମଧ୍ୟ ଆକ୍ରମଣକାରୀମାନେ ଟାର୍ଗେଟ୍ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଅଞ୍ଚଳରେ ଭୟର ବାତାବରଣ ରହିଥିବାବେଳେ ସଶସ୍ତ୍ର ଗ୍ୟାଙ୍ଗ୍ ସଦସ୍ୟମାନେ ଏବେ ବି ଘୂରି ବୁଲୁଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି।
ଗତ କିଛି ମାସ ଧରି କେନସ୍କୋଫ୍ ଅଞ୍ଚଳ ଗ୍ୟାଙ୍ଗ୍ମାନଙ୍କ ଆକ୍ରମଣର ଶିକାର ହୋଇଆସୁଛି। ରାଜଧାନୀର ବଡ଼ ଅଂଶ ଉପରେ ଗ୍ୟାଙ୍ଗ୍ମାନଙ୍କ ପ୍ରଭାବ ରହିଥିବାରୁ ସରକାର ଓ ସୁରକ୍ଷା ବାହିନୀ ପାଇଁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଆକ୍ରମଣ ପରେ ଜଣେ ଗ୍ୟାଙ୍ଗ୍ ନେତା ସୁରକ୍ଷା ବାହିନୀକୁ ଧମକ ଦେଇଥିବା ମଧ୍ୟ ଖବର ମିଳିଛି।
ଏହି ଘଟଣା ପରେ ହାଇତି ସରକାର ଅଞ୍ଚଳରେ ଅତିରିକ୍ତ ସୁରକ୍ଷାବଳ ମୁତୟନ କରିଛନ୍ତି। ଦୀର୍ଘଦିନ ଧରି ରାଜନୈତିକ ଅସ୍ଥିରତା, ଦୁର୍ନୀତି ଓ ଗ୍ୟାଙ୍ଗ୍ ହିଂସାରେ ଜର୍ଜରିତ ହାଇତିରେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଉଠାଇଛି।

