Subhadra Yojana: ପଞ୍ଚମ କିସ୍ତି ନେଇ PM ମୋଦୀଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ୧ କୋଟିରୁ ଅଧିକ ମହିଳା ପାଇବେ ୫୦୦୦ ଟଙ୍କା
ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆଦିଲ୍ଲୀରେ ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ରୁ ପଞ୍ଚମ କିସ୍ତି ବଣ୍ଟନର ପ୍ରସ୍ତୁତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ୫,୦୦୦ ଟଙ୍କା ପଠାଯିବ। ଏଥିପାଇଁ ପ୍ରାୟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଖାତାକୁ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଟଙ୍କା ଠିକ୍ ସମୟରେ ପହଞ୍ଚାଇବା ପାଇଁ e-KYC, ଆଧାର ସଂଯୋଗୀକୃତ ବ୍ୟାଙ୍କ ଖାତା, NPCI ମ୍ୟାପିଂ ଓ ହିତାଧିକାରୀଙ୍କ ଯାଞ୍ଚ ଭଳି ପ୍ରକ୍ରିୟାକୁ ସୁଦୃଢ଼ କରାଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ୧୭ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରରୁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ୫ ବର୍ଷରେ ମୋଟ ୫୦,୦୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ପ୍ରତିବର୍ଷ ୧୦,୦୦୦ ଟଙ୍କା ଦୁଇଟି କିସ୍ତିରେ, ପ୍ରତ୍ୟେକ କିସ୍ତିରେ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ପଞ୍ଚମ କିସ୍ତିର ଟଙ୍କା ମିଳିବା ପରେ ହିତାଧିକାରୀ ମହିଳାମାନଙ୍କ ଆର୍ଥିକ ସହାୟତା ଆହୁରି ସୁଦୃଢ଼ ହେବ।

