Iran Oil Deal: ଇରାନ ସହ ୧୧୯ ମିଲିୟନ ଡଲାର ତୈଳ ଡିଲ, ୪ ଭାରତୀୟ କମ୍ପାନିକୁ ବ୍ଲାକଲିଷ୍ଟ କଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଟ୍ରମ୍ପ ପ୍ରଶାସନ ଇରାନର ତୈଳ ବାଣିଜ୍ୟକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି । ଇରାନରୁ ତୈଳ ଓ ପେଟ୍ରୋକେମିକାଲ୍ ଉତ୍ପାଦ କିଣିବା ଅଭିଯୋଗରେ ୪ଟି ଭାରତୀୟ କମ୍ପାନିକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଆମେରିକାର ଅଭିଯୋଗ ଅନୁସାରେ, ଏହି କମ୍ପାନିଗୁଡ଼ିକ ଇରାନର ରାଷ୍ଟ୍ରାୟତ୍ତ ତୈଳ ନେଟୱାର୍କ ସହିତ ମିଶି ପ୍ରାୟ ୧୧୯ ନିୟୁତ ଡଲାରର କାରବାର କରିଥିଲେ।
ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ସଦାଶିବ ଓଭରସିଜ୍ ଲିମିଟେଡ୍, ପିପି ସଫ୍ଟଟେକ୍, ପ୍ରକୃତିସ୍ ଇନଫ୍ରା ଏବଂ ପୋର୍ଟେଜ୍ ପାର୍ଟନର୍ସ ଏଲଏଲପି ଏହି କାର୍ଯ୍ୟାନୁଷ୍ଠାନରେ ଟାର୍ଗେଟ ହୋଇଛନ୍ତି। ଆମେରିକାର ଅଭିଯୋଗ ଅନୁସାରେ, ସଦାଶିବ ଓଭରସିଜ୍ ୨୦୨୪ ଫେବ୍ରୁଆରୀରୁ ୨୦୨୫ ଜୁନ୍ ମଧ୍ୟରେ ଇରାନରୁ ପ୍ରାୟ ୬୯ ନିୟୁତ ଡଲାରର ତୈଳ ଆମଦାନି କରିଥିଲା। ସେହିପରି ପିପି ସଫ୍ଟଟେକ୍ ଓ ପ୍ରକୃତିସ୍ ଇନଫ୍ରା ପ୍ରାୟ ୨୫ ନିୟୁତ ଡଲାରର ପେଟ୍ରୋଲିୟମ୍ ଉତ୍ପାଦ କିଣିଥିବା ଅଭିଯୋଗ ହୋଇଛି। ପୋର୍ଟେଜ୍ ପାର୍ଟନର୍ସ ଇରାନରୁ ଭାରତକୁ ପେଟ୍ରୋକେମିକାଲ୍ ଉତ୍ପାଦ ପଠାଇବାରେ କଷ୍ଟମ୍ସ ବ୍ରୋକର ଭାବେ ସହଯୋଗ କରିଥିବା ଆମେରିକା କହିଛି।
ଏହି କାର୍ଯ୍ୟାନୁଷ୍ଠାନରେ କିଛି ଭାରତୀୟ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ପୋର୍ଟେଜ୍ ପାର୍ଟନର୍ସ ସହ ଜଡ଼ିତ ଇନ୍ଦ୍ରିସମିୟା ଆଶ୍ରଫମିଆଁ ଶେଖ୍ ଓ ହରିଶ ରାମଚନ୍ଦ୍ର ରଙ୍ଗିଙ୍କ ସମେତ ପିପି ସଫ୍ଟଟେକ୍ର ନିର୍ଦ୍ଦେଶକ ପ୍ରଶାନ୍ତ ଗର୍ଗଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଇରାନର ତୈଳ ରାଜସ୍ୱକୁ ରୋକିବା ଉଦ୍ଦେଶ୍ୟରେ ଟ୍ରମ୍ପ ପ୍ରଶାସନ ଏପରି ପଦକ୍ଷେପ ନେଇଥିବା କୁହାଯାଇଛି। ଏଥିସହ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଇରାନ ସହିତ ତୈଳ ଓ ଅନ୍ୟାନ୍ୟ ବାଣିଜ୍ୟିକ ସମ୍ପର୍କ ସୀମିତ କିମ୍ବା ବନ୍ଦ କରିବାକୁ ଆମେରିକା ଚେତାବନୀ ଦେଇଛି। ତେବେ ଏହି ସମସ୍ତ ଅଭିଯୋଗ ଆମେରିକାର ତଦନ୍ତକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହୋଇଛି।

