Under-Construction Flyover Collapse: ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡ଼ି ଶ୍ରମିକ ମୃତ, ଜଣେ ଗୁରୁତର
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାର ଜାଖ ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ବଡ଼ ଅଘଟଣ ଘଟିଛି। ନିର୍ମାଣାଧୀନ ଫ୍ଲାଏଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ-ଅମୃତସର-କାଟ୍ରା ଏକ୍ସପ୍ରେସୱେର ନିର୍ମାଣ କାମ ଚାଲିଥିବା ସମୟରେ ପ୍ରାୟ ସକାଳ ୧୦ଟାରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁସାରେ, ଲଞ୍ଚିଂ ଗିର୍ଡର ଜରିଆରେ ଏକ ପ୍ରିକାଷ୍ଟ ସେଗମେଣ୍ଟକୁ ସ୍ଥାପନ କରାଯାଉଥିବାବେଳେ ହଠାତ୍ ତାହା ତଳକୁ ଖସିପଡ଼ିଥିଲା। ଫଳରେ ଶ୍ରମିକମାନେ ଏହା ତଳେ ଚାପି ହୋଇ ଯାଇଥିଲେ। ଘଟଣା ପରେ ଆହତ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ଚିକିତ୍ସା ଜାରି ରହିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାସ୍ଥଳରେ ସାମ୍ବା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦାରଖ କରୁଛନ୍ତି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୬୬୯ କିମି ଲମ୍ବା ଦିଲ୍ଲୀ-ଅମୃତସର-କାଟ୍ରା ଏକ୍ସପ୍ରେସୱେ ‘ଭାରତମାଳା ପରିଯୋଜନା’ ଅଧୀନରେ ୪୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି। ପ୍ରକଳ୍ପ ଶେଷ ହେଲେ ଦିଲ୍ଲୀରୁ କାଟ୍ରା ଯାତ୍ରା ସମୟ ପ୍ରାୟ ୧୪ ଘଣ୍ଟାରୁ ୬ ଘଣ୍ଟାକୁ ହ୍ରାସ ପାଇବ।

