Land Fraud Case: ଜମି ଜାଲିଆତି ମାମଲାରେ ବଡ଼ ଆକ୍ସନ, କୋମନା ତହସିଲଦାର ନିଲମ୍ବିତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଜମି ଜାଲିଆତି ଅଭିଯୋଗକୁ ନେଇ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପ୍ରାୟ ୪ ଏକର ୪୦ ଡିସିମିଲ ମୂଲ୍ୟବାନ ଜମିକୁ ଜାଲ କାଗଜପତ୍ର ଜରିଆରେ ବିକ୍ରି କରାଯାଇଥିବା ଅଭିଯୋଗ ମାମଲାରେ କୋମନା ତହସିଲଦାର ତଥା ପୂର୍ବତନ କୋମନା ସବ୍ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବନ କରାଯାଇଛି।
ଏହି ମାମଲାରେ ପୂର୍ବରୁ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେହିପରି ମଙ୍ଗଳବାର ଡିଲିଂ କ୍ଲର୍କ ରାମନାଥ ମିଶ୍ରଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ଅଭିଯୋଗ ଅନୁସାରେ, କୋମନା ତହସିଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୂଲ୍ୟବାନ ଜମିକୁ ଜାଲ ଦସ୍ତାବିଜ ପ୍ରସ୍ତୁତ କରି ବିକ୍ରି କରାଯାଇଥିଲା। ଘଟଣା ଜଣାପଡ଼ିବା ପରେ ଜମି ହରାଇଥିବା ପରିବାର କୋମନା ଥାନାରେ ଅଭିଯୋଗ କରିଥିଲେ।
ତେବେ ଅଭିଯୋଗ ଦାଖଲ ହେବାର ପ୍ରାୟ ୧୨ ଘଣ୍ଟା ପରେ ମଧ୍ୟ କୋମନା ପୁଲିସ ମାମଲା ରୁଜୁ କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ, ଜମି ଜାଲିଆତି ଘଟଣାରେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଉପରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ପରେ ମାମଲାଟି ଆହୁରି ଗୁରୁତ୍ୱ ନେଇଛି। ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଜାଲ ଦସ୍ତାବିଜ କିପରି ପ୍ରସ୍ତୁତ ହୋଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

