Neredi Barrage: ନେରେଡି ବ୍ୟାରେଜ୍ ପାଇଁ ଆନ୍ଧ୍ରକୁ ୧୦୬ ଏକର ଜମି ଦେବ ଓଡ଼ିଶା, ଶୀଘ୍ର ଆଗେଇବ ପ୍ରକଳ୍ପ କାମ
ଭୁବନେଶ୍ୱର: ନେରେଡି ବ୍ୟାରେଜ୍ ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ଆନ୍ଧ୍ରପ୍ରଦେଶକୁ ୧୦୬ ଏକର ଜମି ଯୋଗାଇଦେବ ଓଡ଼ିଶା। ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଜମି ଆନ୍ଧ୍ରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରାଯିବ। ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଯୋଗାଣ ସହ ପ୍ରଭାବିତ ଅଞ୍ଚଳ ଓ ଜମି ପାଇଁ ଆନ୍ଧ୍ରପ୍ରଦେଶ ସରକାର କ୍ଷତିପୂରଣ ପ୍ରଦାନ କରିବେ।
ଏହି ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏକ ଯୁଗ୍ମ କମିଟି ଗଠନ କରାଯାଇଛି। ଆସନ୍ତା ୨୮ ତାରିଖରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଏହି ଯୁଗ୍ମ କମିଟି ନେରେଡି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବେ। ଉଭୟ ରାଜ୍ୟର ଅଧିକାରୀମାନେ ମିଳିତ ଭାବେ ଜମି ଓ ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ଦିଗର ଅନୁଧ୍ୟାନ କରିବେ।
ନେରେଡି ବ୍ୟାରେଜ୍କୁ ନେଇ ଦୀର୍ଘଦିନ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ରହିଥିଲା। ପରେ ଟ୍ରିବ୍ୟୁନାଲ୍ ପକ୍ଷରୁ ବ୍ୟାରେଜ୍ ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଥିଲା। ଏବେ ଓଡ଼ିଶା ପକ୍ଷରୁ ଜମି ଯୋଗାଇବା ଏବଂ ଦୁଇ ରାଜ୍ୟର ଯୁଗ୍ମ କମିଟି ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିବା ନିଷ୍ପତ୍ତି ପରେ ବହୁ ପ୍ରତୀକ୍ଷିତ ନେରେଡି ବ୍ୟାରେଜ୍ ପ୍ରକଳ୍ପର କାମ ଆଗକୁ ବଢ଼ିବାର ବାଟ ଖୋଲିଛି।

