Jagannath Cartoon Controversy: ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ଚିତ୍ରଣକୁ ନେଇ କ୍ଷୁବ୍ଧ ହେଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, କହିଲେ- ଫିଲ୍ମ ରେ ମହାପ୍ରଭୁଙ୍କୁ ‘ବିକୃତ ରୂପରେ ପ୍ରଦର୍ଶନ କରାଯାଇଛି’
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କୁ ନେଇ ନିର୍ମିତ ଆନିମେଟେଡ୍ ଫିଲ୍ମକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଫିଲ୍ମରେ ମହାପ୍ରଭୁଙ୍କ ଚିତ୍ରଣକୁ ନେଇ ଆପତ୍ତି ଉଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏଭଳି ଚିତ୍ରଣ ଶାସ୍ତ୍ର, ପରମ୍ପରା ଓ ଇତିହାସର ବିରୋଧୀ ବୋଲି ସେ ମତ ଦେଇଛନ୍ତି। ଫିଲ୍ମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିକୃତ ରୂପରେ ଦର୍ଶାଯାଇଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରସଙ୍ଗରେ କୋର୍ଟଙ୍କ ହସ୍ତକ୍ଷେପ ଉଚିତ ନୁହେଁ। ଏଭଳି ଭାବେ ହିନ୍ଦୁ ଦେବାଦେବୀଙ୍କୁ ପ୍ରଦର୍ଶନ କରାଗଲେ ଏହା ପିଲାମାନଙ୍କ ମନରେ ଦେବଦେବୀଙ୍କୁ ନେଇ ଭୁଲ ଧାରଣା ସୃଷ୍ଟି କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ନିର୍ଣ୍ଣୟ ସମ୍ପର୍କରେ ଗଜପତି ମହାରାଜଙ୍କୁ ଚିଠି ଲେଖି ଅବଗତ କରିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା। ଆନିମେଟେଡ୍ ଫିଲ୍ମ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଓ ତତ୍ତ୍ୱକୁ ବିକୃତ କରାଯାଉଥିବା ଅଭିଯୋଗ କରି ଏହାର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି।
ଏହି ବିବାଦ ମଧ୍ୟରେ ପୂର୍ବରୁ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ ସୁପ୍ରିମକୋର୍ଟ। ଜୁଲାଇ ୨୯ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଫିଲ୍ମ ରିଲିଜ୍ ବିରୋଧରେ କରାଯାଇଥିବା ଆବେଦନକୁ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ। ଏହାପରେ ଫିଲ୍ମର ଟ୍ରେଲର ଏବଂ ଶ୍ରୀଜଗନ୍ନାଥଙ୍କ ଚିତ୍ରଣକୁ ନେଇ ଉଠିଥିବା ଆପତ୍ତି ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏବେ ଶଙ୍କରାଚାର୍ଯ୍ୟ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାଙ୍କ ଆପତ୍ତି ପରେ ଏହି ମାମଲା ପୁଣି ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।

